ବର୍ଷା
ବର୍ଷା


ନୀଳ ଆକାଶ ଆଜି କଳାମେଘି ସାଜିଥିଲା
କିଛି ଘଡ଼ଘଡ଼ିର ନିନାଦ ପରେ ଆରମ୍ଭିଲା ନୃତ୍ୟ ତାର
ପ୍ରେୟସୀ ମାଟି ଚାହିଁଥିଲା ଦୁଇ ମୁକ୍ତନୟନେ
ଗଗନକୁ ମଗନ ମନରେ ସପନ ଯେ ସତ ତାର
ବିଭୋର ସେ ଦେଖି ମେଘର ମହ୍ଲାର,
ଉଲ୍ଲାସର ରାଗରେ ପ୍ରଫୁଲ ସଙ୍ଗୀତ ସଜାଇ
ସବୁଜ ଦଳବଳଙ୍କୁ ନେଇ ହର୍ଷିତ ମୋହିତ
ସବୁ ଭୁଲି ପୂର୍ବ ରବିଙ୍କ ପ୍ରଚଣ୍ଡ ଉତ୍ତାପ ସଂଳାପ
ମାଟି ଅନୁଭବି ଚାଖୁଥିଲା
ପ୍ରେମର ମୁହୂର୍ତ୍ତ ମଧୁମୟ ଗୋଲାପର ବାସ୍ନା,
ଭିଜିଗଲା ପରେ ଲାଜରେ କୋମଳେ
ଶୀତଳତାର ପରଶେ ଆଲିଙ୍ଗନ କରୁଥିଲା
କେତେ ଗଛଲତାର ସବୁଜ ଓଠକୁ,
ସ୍ମିତ ହସୁଥିଲା ମାଟି ଆକାଶକୁ ଦେଖି
ଆଉ ଆକାଶ ଦୂରରୁ ହିଁ ଛୁଉଁଥିଲା ମାଟିକୁ
ବରଷାକୁ କେବଳ ମାଧ୍ଯମଟିଏ ସଜାଇ ସଜାଇ..........(୧)
ହେଲେ ଏ କଳାଧଳା ଦୁଇ ଆଖିର ବରଷାକୁ
କେବଳ ସେ ହିଁ ଦେଖୁଥିଲା ଯାହା
ଆଉ ଚାଖୁଥିଲା ତାର ଲବଣାକ୍ତ
ଜଳ
ଖୋଜୁଥିଲା ମିଠାର ଅନୁଭବ
ଓଠ ସହ ଆଖି ଭିଜୁଥିଲା ନିଜ ବରଷାରେ,
ଆଙ୍ଗୁଠିରେ ବରଷାକୁ ରୋକିବାର ବ୍ୟର୍ଥ ପ୍ରୟାସ
କେବେ ତକିଆ କେବେ ରୁମାଲମାନେ
ଭିଜୁଥିଲେ ନିଜ ଇଚ୍ଛା ବିରୁଦ୍ଧରେ
ଅନୁରୋଧ କରି ମଧ୍ୟ ହାରୁଥିଲେ ବାରବାର,
ନିରବତାର ସଙ୍ଗୀତ ଶୁଭୁଥିଲା
ମାତ୍ର ଦୁଇଟି କାନକୁ ପ୍ରବଳ ଶବ୍ଦରେ
ଧୈର୍ଯ୍ୟ ସୀମା ଡ଼େଉଁଥିଲା ହସବଟିକା ଖାଉଥିଲା
ନା ଆଖି ଓଠକୁ ଦେଖିପାରୁଥିଲା
ନା ଓଠ ଆଖିକୁ କିଛି କହିପାରୁଥିଲା
ଦୁହେଁ ଥିଲେ ଏକ ନିକଟ ଦୂରତ୍ୱ ଅବଲମ୍ବନରେ,
ଭିତରେ ଲୁଚି ରହିଥିଲା ମନ ଓ ତା ଗହନ ବନ
ଯେ ସର୍ଜନା କରୁଥିଲା ଏ ଅମିଠା ବରଷାର
ହସ ନିରୁର୍ଦ୍ଦିଷ୍ଟ ସାଜିଗଲା ପରେ
ଲୁହ ଦୁଇଟି ଭୂମିକାର ଅଭିନୟ କଳାରେ
ଦେଖାଉଥିଲା ଚମତ୍କାର କଳାକାରୀ
ଆଉ ବର୍ଷା କେବେ ଶୀତଳତା ଓ ଆଉ କେବେ
ଉଷ୍ମତାର ଆଇନାରେ ଦେଖୁଥିଲା ନିଜ ମୁହଁ । .......(୨)