ଦାରୁବ୍ରହ୍ମ
ଦାରୁବ୍ରହ୍ମ
ରାଜା ଇନ୍ଦ୍ରଦ୍ୟୁମ୍ନ ଡାକି ମହାରଣା
ଆଦେଶିଲେ ମୂର୍ତ୍ତି ଗଢ l
ନିହାଣ ଖୋଦେଇ କରନ୍ତି ବଢ଼େଇ
ଖୁଣ ହୁଏନାହିଁ ଗଡ଼ l
କରପତ୍ର ଯୋଡି ମହାରଣା କୂଳ
ବିନତୀ କରେ ରାଜନ l
ଏତେ କାର୍ଯ୍ୟ କରିଅଛୁ ମହାଭାଗ
ନିଆରା ଅଟେ ଏ କାମ l
ଆମ ଦ୍ୱାରା ଏହି ମୂରତୀ ତିଆରି
ଅଟେ ବଡ଼ ଅସମ୍ଭବ l
ଏ କାଳେ ମିଳନ୍ତି ଏକ ବୃଦ୍ଧ ଲୋକ
ତିଆରିବି ମୁଁହି ଦେବ l
ଚର୍ମ ଧୁଡୁ ଧୂଡୁ ପାକୁଆ ପାଟିକୁ
ଆଖିରୁ ବହେ ଲେଞ୍ଜରା l
ଶୁଣି ତାର କଥା ଆଶ୍ଚର୍ଯ୍ୟ ସଭିଏଁ
ଏକ ଆନ ଠାର ଠୁରା l
ଅବନ୍ତୀ ନରେଶ ଦିଅନ୍ତି ଆଦେଶ
ଦେଖି ବୃଦ୍ଧର ଆଗ୍ରହ l
ଏକୋଇଶି ଦିନ ନିବୃତ୍ତ ଗୃହରେ
ଗଢିବି ମୁଁହି ବିଗ୍ରହ l
ମୋହର ନିର୍ଦେଶ ନମିଳବା ଯାଏ
ଖୋଲିବ ନାହିଁ ଦୁଆର l
ସର୍ତ୍ତ ରଖି ବୃଦ୍ଧ ବିନ୍ଧାଣି ଅନନ୍ତ
ପ୍ରବେଶିଲେ ଶ୍ରୀମନ୍ଦିର l
ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀମା ଗୁଣ୍ଡିଚା
ପରଖନ୍ତି ନିତ୍ୟ ଆସି l
ନିହାଣ, ମାର୍ତୁଲ ଠକ ଠକ ଶବ୍ଦ
ଶୁଣି ହେଉଥାନ୍ତି ଖୁସି l
ଏକଦିନେ ରାଣୀ ଆସିଣ ଦେଖନ୍ତି
ନ ଶୁଭେ କିଛି ଶବଦ l
ବ୍ୟତିବ୍ୟସ୍ତ ହୋଇ ପୂଛନ୍ତି ରାଜନ
ଦ୍ୱାର ଖୋଲ ମହାଭାଗ l
ବୃଦ୍ଧ ବଢ଼େଇର ଠକ ଠକ ଶବ୍ଦ
ଶୁଣାଯାଉ ନାହିଁ ଆଉ l
ମୃତ କି ଜୀବିତ ମନହୁଏ ବ୍ୟସ୍ତ
ଅପେକ୍ଷା ନ କର ଆଉ l
ଗୁଣ୍ଡିଚା ଆତୁର ଦେଖିଣ ରାଜନ
ପ୍ରବେଶିଲେ ଦ୍ୱାର ଖୋଲି l
ଅଧା ଗଢ଼ା ଦିଅଁ ଉଭା ହୋଇଛନ୍ତି
ଅପାଣି ପାଦ , ଅଙ୍ଗୁଳି l
ନାହାନ୍ତି ବିନ୍ଧାଣୀ ଅଧା ଗଢ଼ା ମୂର୍ତ୍ତି
ଦେଖି ଉଡ଼ିଗଲା ହଂସା l
ଅନୁତାପେ ରାଜା ରୋଦନ କରନ୍ତି
ଦୁର୍ବୁଦ୍ଧି କଲା ନିରାଶା l
ମିଳିନ ଦେବର୍ଷି ବୋଲନ୍ତି ରାଜନ
ହେଉଛ ତୁମ୍ଭେ ବାଉଳି l
ସ୍ୱୟଂ ପରବ୍ରହ୍ମ ଗଢ଼ିଛନ୍ତି ତାଙ୍କୁ
ଏ ରୂପ କି କାହା ଭଳି l
ଜୀବଜନ୍ତୁ କିବା ମାନବ ଆକୃତି
ଅଟଇ କି ଏ ବିଗ୍ରହ l
ଅଧମ ମଣିଷ ଗଢି କି ପାରିବ
ଏମିତି କା ଦାରୁଦିଅଁ l
ଆଖି ଦୁଇ ଯାର ସୂର୍ଯ୍ୟ ଚନ୍ଦ୍ର ସମ
ଦେଖଇ ବିଶ୍ୱ ବ୍ରହ୍ମାଣ୍ଡ l
କାନ ନାହିଁ ତାର ଶୁଣୁ ଅଛି ସର୍ବ
ବିଶ୍ଵରୂପ ଏଠି ରୁଣ୍ଡ l