ଶ୍ରୀରାଧେ ବୃନ୍ଦାବନେଶ୍ୱରୀ
ଶ୍ରୀରାଧେ ବୃନ୍ଦାବନେଶ୍ୱରୀ
ରାଧା ବିନା ଅଧା ଏଠି ଶ୍ରୀକୃଷ୍ଣଙ୍କ ପଦ
ପୂର୍ଣ୍ଣମୀ ନ ଥିଲେ ପୂର୍ଣ୍ଣଚନ୍ଦ୍ର କି ଉଦିତ,
ସିନ୍ଧୁଏ କରୁଣା ଇଛା ନାହିଁ ବିନ୍ଦୁ ମାତ୍ର
ଶ୍ରୀରାଧା ପ୍ରାଣା ସମ୍ପତ୍ତି ପ୍ରଣତିର ଚିତ୍ତ ।
ବୃନ୍ଦାବନ ଲୀଳାମୟୀ ରାସେଶ୍ବରୀ ରାଧା
ଶ୍ରୀକୁଞ୍ଜ ବିହାରିଣୀ ମାଧୁର୍ଯ୍ୟମୟ ସୁଧା,
ସ୍ବର୍ଗୀୟ ଆନନ୍ଦ ଯହିଁ ପ୍ରୀତିରେ ସୁଖଦା
ରାଧେ ରାଧେ ତିଳକେ ନ ଲାଗେ ଭବ ବାଧା ।
ନବ ଅରୁଣିମା ଧାରେ ବୃନ୍ଦାବନେ ଧରା
ମନ କୁଞ୍ଜବନେ ଶ୍ୟାମଘନ ମଧୁଝରା,
ରାଧାମୟ ସମୀରଣ ବିଭୋର ନିଆରା
ମୁହୂର୍ତ୍ତ ମୁହୂର୍ତ୍ତ ଏଠି କାର୍ତ୍ତିକ ଇସାରା ।
ସବୁ ଛନ୍ଦ ମନ୍ଦ,ମନ୍ଦ ନିଧିବନ ସୁରେ
ପତ୍ରେ,ପତ୍ରେ ରାଧାଶ୍ୟାମ ହୃଦ କାନନ ରେ,
ପୂତ ପଞ୍ଚପ୍ରାଣ ତୃପ୍ତି ଆରାଧ୍ୟା ହୃଦରେ,
ଆହା ଭାଗ୍ୟ କି ସୌଭାଗ୍ୟ ଲେଖିଥିଲୁ ଧାରେ ।
ଝୁଲଣରେ ଝୁଲି, ଝୁଲି ପାଶେ ଡାକିନେଲୁ
ମାଧୁର୍ଯ୍ୟକ ନିଳୟରେ ମ
ହାଧନ ଦେଲୁ,
ପ୍ରତ୍ୟେୟ ପ୍ରାଣତନ୍ତ୍ରୀ ସଂତୃପ୍ତିରେ ଭରିଲୁ
ଭାବଧନେ ମହାଧନୀ କୃପାରୁ କରିଲୁ ।
ତୁଳସୀରେ ବିଭୂଷିତ ବାସ୍ନାରେ ବିଭୋର
ଶିଳାରୂପ ଦିବ୍ୟତାରେ ଜୀବନ ଜଡ଼ର,
ବାଙ୍କ ଚାହାଁଣିରେ ସ୍ମିତହାସ୍ୟ ଆସକ୍ତିର
ବ୍ରଜ-ଗୋପ-ଗୋକୁଳ ରାଧେ ଶବ୍ଦେ ସୁନ୍ଦର ।
ଲଳିତା,ବିଶାଖା,ତୁଙ୍ଗବିଦ୍ୟା,ରଙ୍ଗଦେବୀ
ଚମ୍ପକଲତା, ଇନ୍ଦୁଲେଖା, ଚିତ୍ରା,ସୁଦେବୀ,
ଅଷ୍ଟସଖି ଆବୋରି ଶ୍ରୀରାଧା ବିଭାଦିପ୍ତୀ
ଅମୃତ ଅସ୍ତିତ୍ବ ମଧୁ,ମଧୁରେ ଶ୍ରୀକାନ୍ତି ।
ଭାଗ୍ୟ ମହାଧନ ଧାର୍ଯ୍ୟ ଇଚ୍ଛାରୁ ଶ୍ୟାମର
ନବୀନ ନିରଦ ବେଶ ତ୍ରିଭଙ୍ଗୀ ଠାଣୀର,
ଗୋପ, ବୃନ୍ଦାବନ ଲୀଳା ଆହା କି ସୁନ୍ଦର
ରାଧାରାଣୀ ଭାବ ସତେ ମଧୁରେ ମଧୁର ।
ନିଧି ମୋର ନିଧିବନେ ନୟନର ଗାର
କଥାକୁହା ଆଖିରେ,ଶ୍ରଦ୍ଧାସିକ୍ତ ବେଭାର,
ମୁକସଦା ଦେଖିଦେଲେ ଶ୍ରୀଅଙ୍ଗ ତାହାର
ମାନସରେ ବୁଝିନିଏ ମମତାକୁ ତା'ର ।