ଅର୍ଦ୍ଧ ନଗ୍ନ ଆକାଶ
ଅର୍ଦ୍ଧ ନଗ୍ନ ଆକାଶ
ସେହି ଆକାଶଟା ଆଜି ଯାଏ ଢାଙ୍କିଛି
ଖରାବେଳେ ଛାଇ ଶୀତରେ ତତେଇ
ବର୍ଷାରୁ ବଞ୍ଚେଇ ଆସିଛି ।
ଯେତେ ମାପିଲେ ବି ଅମାପ ଅସୀମ
ଅଥକ ଶରୀର ଚିର ତରତର
ଥାଏ ସବୁବେଳେ କାମ ।
ଯେତେବେଳେ ଯାହା ମାଗିଛ ଦେଇଛି
ଥଣ୍ଡାକୁ ଗରମ ଗରମେ ନରମ
ଖୋଜିବା ଆଗରୁ ଖଞ୍ଜିଛି ।
ବର୍ଷି ଆନନ୍ଦରେ ତା'ର ପରିଶ୍ରମ ଝାଳ
ପେଟକୁ ଦାନା ପିଠିକୁ କନା
ଯୋଗାଏ ସବୁ ସମ୍ବଳ ।
ବାଦଲ ଘର୍ଷଣ ବଜ୍ରାଘାତ କଷଣ ସହି
କେବେ ବି କହିନି କରୁଣ କାହାଣୀ
କେବଳ ଆମରି ପାଇଁ ।
ଧିରେ ଧିରେ ଆକଶଟା ହୁଏ ଅବଶ ନିରସ
ନାହିଁ ବୋଲି ବଳ ବୟସ ସମ୍ବଳ
ବୋଲାଏ ଅର୍ଦ୍ଧ ନଗ୍ନ ଆକାଶ ।
