ଅଲୋଡ଼ା ମଣିଷ
ଅଲୋଡ଼ା ମଣିଷ


କେଇ ରାତିର ଅନ୍ତରାଳେ
କେତେ ପାଦର ଦୂରତାରେ
ତମେ ଏବେ ମାନବୀରୁ ଦେବୀ !
ଲୋକେ ଠିକ୍ କହନ୍ତି
କେଇପାଦ ଆଗରେ ଚାଲୁଥିବା ମଣିଷ
ପଛକୁ ଫେରି ଦେଖେନି
ସରି ଯାଇଥିବା ସ୍ମୃତିକୁ
ଦୁଃସ୍ୱପ୍ନ ଭାବି ମନେପକାଏନି !
ଝୁଣ୍ଟି ପଡୁଥିବା କିଛି ସମୟ
ମିଳିଥିବା ସାହାରା
ଆବଶ୍ୟକ ଥିବା କେଇ ହାତ
କାଳକ୍ରମେ ସାରିବସେ ଆୟୁଷ,
ବଢିଚାଲେ ଦୂରତ୍ୱ
ଚାଳଘର ସମ୍ପର୍କ
ମାର୍ବଲ ଘରେ ଘନିଷ୍ଠ ।
ପରିଚୟ ପାଇଁ ଦୁନିଆର ଭିଡ଼ରେ
ଠେଲାପେଲା ହେଉ ହେଉ ସମୟର ଶେଷ
ପବିତ୍ର ସମ୍ପର୍କ ହୁଏ ପ୍ରଭାବିତ
ଦିନେ ଭାବ ବାଣ୍ଟୁଥିବା କେହି ଜଣେ
ଆଜି ଅଲୋଡ଼ା ମଣିଷ ।।