କର୍ତ୍ତବ୍ୟ
କର୍ତ୍ତବ୍ୟ
ମାଆ ର ପରଷ ପିଲା ଦେହ ମନ କିଣେ
ଅମୃତମୟୀ ସେ ପୂଜ୍ୟା ଜୀବନ ଉଦ୍ୟାନେ,
କୋଟି ଯୁଗ ପିଲା ପାଇଁ ବଞ୍ଚେ ହୃଦୟରେ
ଅମୃତ ବରଷେ ତା ମମତା ଭିଜା ସୁରେ ।
ପଥର ପରିକା ଦୁଃଖ ସହେ ପିଲା ପାଇଁ
ଦରଦୀ ମନର କୋହ ଜାଣେ ନାହିଁ କେହି,
ଆହାକରି କୋଳେ ନେଲେ ରୋଗ ଦୂରେ ଯାଇ
ସେ ଭଲ ପାଇବା କାହିଁ କେଉଁଠି ମିଳଇ ।
ଗରୀୟସୀ ମାତା ସେହି ଧରିତ୍ରୀର ସମ
ପୁତ୍ର କନ୍ୟା ପାଇଁ ସଦା କରଇ କଲ୍ୟାଣ,
ତାର ଆଶିଷରେ ଝରେ ସୁଧା ନିର୍ଝରିଣ
"ମା"ପଦ ଯୁଗଳେ ମୋର କୋଟିଏ ପ୍ରଣାମ ।
କରୁଣାର ମୂର୍ତ୍ତିମନ୍ତ ନିଶବ୍ଦ ଗୁଞ୍ଜନ
ସଜଳ ଅତ୍ମୀୟତାର ଅମୃତ ଅଞ୍ଜନ,
ଶ୍ରଦ୍ଧାସ୍ପର୍ଶ ହୃଦଝରା ମଧୁ ସଂସ୍କରଣ
ମହ,ମହ ଆବେଗରେ ସ୍ନେହର ପାର୍ବଣ ।
ସମର୍ପଣ ବିଶ୍ୱାସର ପୃଷ୍ଠା ଅସୁମାରୀ
ତା'ଅଭିଧାନେ ଅବୁଝା ଗଭୀରତା ବାରୀ,
ତ୍ୟାଗ ଆଉ ତିତିକ୍ଷାର ଦେବୀଟିଏ ପରି
ମାଟି, ଆକାଶଠୁ ଉଚ୍ଚ ଅସ୍ତିତ୍ୱ ତାହାରି ।
ପତିତପାବନ ନେତ ପଣତରେ ତାର
ପୋଛିଦେଲେ ମୁହେଁ ହସ ଲକ୍ଷେ କଦମ୍ବର,
ପିଲାପାଇଁ ବେଦ, ପୁରାଣ ମନ୍ତ୍ର ଓଁ କାର
ସକଳ ତୀର୍ଥ ଚରଣେ କୋଟିଏ ଭାଗ୍ୟର ।
ମୋପାଟ ଅଗଣାରେ ମାଆ ପୂଣ୍ୟ ଗହଣା
ମଧୁମୟ ବଚନରେ ହରଇ ଯନ୍ତ୍ରଣା,
ଶୁଷ୍କତାରେ ଆଶାବାରୀ ଭବ୍ୟ ସମ୍ଭାବନା
ହରିନିଏ ପଲକରେ ଅବ୍ୟକ୍ତ ଯାତନା ।
ମା 'ସ୍ନେହ ଝରଣା ଅଟେ ପତିତପାବନ
ସବୁ ଦୁଃଖ ଦୂର କରେ ପିଲା ତା ଜୀବନ,
ପିଲା ଶ୍ରଦ୍ଧାରେ ହଜି, ଭିଜାଇ ତନୁମନ
ନିଜେ ନିଜକୁ ଭୁଲେ "ମା "ଜନ୍ମଦେଇ ଧନ୍ୟ ।
କର୍ତ୍ତବ୍ୟ ନୁହେଁ ଯେ ତାହା ସେ ଭଲ ପାଇବା
ହୃଦୟର ନିଭୃତ ରେ ଅମୃତ ର ଶୋଭା,
ପିଲା ପାଇଁ ମାଆ କର୍ମ ଯତ୍ନେ ବଡ଼ ହେବା
ସେ ସବୁ ପାଶୋରି ଦୁଃଖେ ମାଆ କୁ ରଖିବା ।
ଭୁଲ ନାହିଁ ମାତୃସ୍ନେହ ସେ ପବିତ୍ର ଗୀତା
ଆଦର୍ଶ ସନ୍ତାନ ହେବା ପାଇଁ ରେ ପ୍ରତିଜ୍ଞା
ସୁସନ୍ତାନ ହୋଇ ଯଶ କରି ମାତୃ ସେବା
କର୍ମେ ସଦା ଧ୍ୟାନ ଜଗତେ ହୋଇବ ଜିତା ।