ରଥଯାତ୍ରା
ରଥଯାତ୍ରା
ସଜ ହୋଇଗଲା ଦର୍ପଦଳନ ଓ
ତାଳଧ୍ଵଜ, ନନ୍ଦିଘୋଷ ।
ପଥ ପ୍ରଦର୍ଶନ କରିବାକୁ ପ୍ରଭୁ
ବଡ଼ଦାଣ୍ଡେ ଥରେ ଆସ ।
ଲକ୍ଷ ଲକ୍ଷ ଭକ୍ତ ରୁଣ୍ଡ ହେଲେଣି ଯେ
ଦେଖିବେ କଳା ବଦନ ।
ଭାଇ ଭଗ୍ନୀ ସାଥେ ଚତୁର୍ଦ୍ଧା ମୂରତି
ଦେଖି ଅରଜିବେ ପୂଣ୍ୟ ।
ଜଗତ ସମ୍ରାଟ ରଥଯାତ୍ରା କରି
ଦେଖ ପ୍ରଭୁ ଜଗନ୍ନାଥ ।
କିଏ ସୁଖି କିଏ ଅବା ଦୁଃଖୀ
କିଏ ବା ଅଛି ଅନାଥ ।
ବରଷକେ ଥରେ ଆସିଅଛି ନାଥ
ଆଷାଢ଼ ଶୁକ୍ଳ ଦ୍ଵିତୀୟା ।
ବଡ଼ଦାଣ୍ଡେ ଆସି ଜଗତ ଦେଖିବ
ଟାକିଛି ମାଉସୀ ମାଆ ।
କୋଟି କୋଟି ଜନ କରି ନିବେଦନ
ଆକୁଳେ ଅଛନ୍ତି ଟାକି ।
ଦୁଃଖ ଦୂର କରି ସୁଖ ଦିଅ ପ୍ରଭୁ
ଆଉ ଯାହା ଅଛି ବାକି ।
ଜଗତ ପାଳନ କର ନାରାୟଣ
ରତ୍ନ ସିଂହାସନେ ବସି ।
ପାଳୁଛ ପ୍ରଭୁ ହେ ଜଗତକୁ ତୁମେ
ଭକ୍ତେ ଦେଇ ସଦା ଖୁସି ।
ଦୁଃଖୀ ଦରିଦ୍ରଙ୍କ ଦୁଃଖ ଦୂରକରି
ସୁଖ ଦେଉଥାଅ ନିତି ।
ବିପର୍ଯ୍ୟୟ ହରି ସକଳ ଜନଙ୍କୁ
ଦେଇଥାଅ ସଦା ଶାନ୍ତି ।
ରଥ ପରବରେ ପୁଣି ଆଉଥରେ
ରଥେ ବିରାଜିତ ହୋଇ ।
ବିନତି କରୁଛି ଦେଖିନିଅ ଥରେ
ପାଳୁଥିବା ତୁମ ମହୀ ।