ନାତୁଣୀ ଲୋ
ନାତୁଣୀ ଲୋ
ନାତୁଣୀ ଲୋ, ନାତୁଣୀ ଲୋ ।।
ଆଶ୍ଵିନ ମାସରେ ଜନମ ତୋର,
ନବମୀ ତିଥିରେ କୃଷ୍ଣପକ୍ଷର ଯେ
ପ୍ରାତଃ ଆଠ ତିରିଶ ରବିବାର, ନାତୁଣୀ ଲୋ ।।
ଦୁଇ ଶୁନ ଦୁଇ ତିନି ମସିହା,
ଅକ୍ଟୋବର ଆଠ ତାରିଖ ଆହା ଯେ
ମାଆ ଦଶଭୁଜା ହେବେଟି ସାହା, ନାତୁଣୀ ଲୋ ।।
ସୂର୍ଯ୍ୟଙ୍କ ଉଦୟ ପୂର୍ବ ଦିଗରେ,
ଜନମ ଲଭିଲୁ ସେ ସମୟରେ ଯେ
ପରିଚୟ ତୋର *ପୂର୍ବୀ* ନାମରେ, ନାତୁଣୀ ଲୋ ।।
ବାପାମାଆଙ୍କର ଜୀବନ ଧନ,
କିଣିନେଲୁ ସତେ ସଭିଙ୍କ ମନ ଯେ
ପେଟ ପୂରିଯାଏ ଦେଖି ବଦନ, ନାତୁଣୀ ଲୋ ।।
ବଡ଼ ହୋଇ ତୁ ଲୋ ପାଠ ପଢ଼ିବୁ,
କୁଳକୁଟୁମ୍ବର ନାମ ରଖିବୁ ଯେ
ସଂସ୍କାର ସଂସ୍କୃତି ଭୁଲି ନ ଯିବୁ, ନାତୁଣୀ ଲୋ ।।
କରୁଥିବୁ ସଦା ସାକାର ଚିନ୍ତା,
ଦୁନିଆଁ ଆଗରେ ଜଗତଜିତା ଯେ
ଦୁଇ କୁଳ ହିତା ତୁହିଁ ଦୁହିତା, ନାତୁଣୀ ଲୋ ।।
ରାଜାଘର ଝିଅ ରାଜକୁମାରୀ,
ମାଆଙ୍କର ରତ୍ନ ବାପାଙ୍କ ପରୀ ଯେ
ଅଜାଆଈଙ୍କର ତୁ ତ ଦୁଲାରୀ, ନାତୁଣୀ ଲୋ ।।
ସ୍ନେହ ମମତାର ନାହିଁ ଅଭାବ,
ଭେଟି ଦେଉଥିବୁ ସବୁ ଦରବ ଯେ
ଦେଶ ଓ ଜାତିର ତୁହିଁ ଗୌରବ, ନାତୁଣୀ ଲୋ ।।
ଗୁରୁଜନେ ନିତ୍ୟ କରି ଭକତି,
ଆଶୀର୍ବାଦେ ପାଇ ସାହସ ଶକ୍ତି ଯେ
କରୁଥିବୁ ତୁ ଗୋ ସଦା ଉନ୍ନତି, ନାତୁଣୀ ଲୋ ।।
ନୟନ ପିତୁଳା ଆଖିର ତାରା
ଗଣ୍ଠିଧନ ସୁନା ହୃଦ ପସରା ଯେ
ସର୍ବ ଦେବାଦେବୀ ତୋର ସାହାରା, ନାତୁଣୀ ଲୋ ।।
ନାତୁଣୀ ଲୋ, ନାତୁଣୀ ଲୋ ।।