କୃଷକ ବେଦନା
କୃଷକ ବେଦନା
ପାଞ୍ଚ ଏକରିଆ କୃଷକ ଜଣେ ମୁଁ ମନର ବେଦନା କହୁଛି
ଚାଷ କଥା ଏବେ ଭାବିଦେଲା ବେଳେ ହୋସ ମୋ ଉଡ଼ିଯାଉଛି |
ମାଟିମାଆର ମୁଁ ଶ୍ରେଷ୍ଠ ସନ୍ତାନ ମାଟିର ମଣିଷ ହୋଇଛି
ମୁଣ୍ଡ ଝାଳ ତୁଣ୍ଡେ ମାରି ଲୁହ ଲହୁ ଏକାକାର କରି ଦେଇଛି |
ହିସାବ କରିଲେ ଆୟ ଠାରୁ ମୋର ବ୍ୟୟ ତ ଅଧିକ ହେଉଛି
ଅଭାବରେ ସଢ଼ି ସାହୁକାରଠାରୁ ବ୍ୟାଙ୍କ ପର୍ଯ୍ୟନ୍ତ ଧାଉଁଛି |
ମୂଳ କି ଶୁଝିବି ସୁଧ ବାବଦକୁ ପ୍ରତି ବର୍ଷ ବିଲ ବିକୁଛି
ଝିଅ ତ ପଢ଼ିବା ଦୂରେ ଥାଉ ପୁଅ ଅଧାରୁ ପାଠକୁ ଛାଡ଼ୁଛି |
ବାଧକା ପଡ଼ିଲେ ଅଉଷଧ ନାହିଁ ଦିଅଁ ଦେବତାଙ୍କୁ ପୂଜୁଛି
ଯାହା ଥିଲା ଥିଲା ଏବେ ଚାଷ କାମ ବ୍ୟାଧି ସମ ବୋଧ ହେଉଛି |
ବିଲ କାମ ପାଇଁ ମୂଲିଆ ଅଭାବ ଏକା ଏକା ଖଟି ମରୁଛି
ଟଙ୍କିକା ଚାଉଳ ପାଞ୍ଚଟଙ୍କି ଅନ୍ନ ଚାଷକୁ ବୁଡ଼ାଇ ଦେଉଛି |
କାଳିଆ କିଷାନ ଯୋଜନା ଅର୍ଥକୁ ଅଣଚାଷୀ ଖାଇଯାଉଛି
କିଏ ସେ ପ୍ରକୃତ ଚାଷୀ ବୋଲି ହାୟ ଏ ଯାଏଁ ଚିହ୍ନଟ ନୋହୁଛି |
ଗରିବ ପାଇଁକି ସକଳ ଯୋଜନା ମଧ୍ୟବିତ୍ତ ଭାସି ଯାଉଛି
ତଳ ସୁଧୁରୁଛି ଉପର ହସୁଛି ମଝିଵାଲା ଦୁଃଖ ପାଉଛି |
ବଡ଼ଚାଷୀ ହୋଇ ଫସିଗଲି ମୁହିଁ ଦୀର୍ଘଶ୍ୱାସ ଖାଲି ଛାଡ଼ୁଛି
ନାହିଁ ମୋ ଆଧାର ଶ୍ରମଜୀବୀ କାର୍ଡ ନିରାଶେ ଶୂନ୍ୟକୁ ଚାହୁଁଛି |
ଇନ୍ଦିରା ଆବାସ ବିଜୁ ପକ୍କାଘର ମୋ ପାଇଁ ସପନ ହୋଇଛି
ଘର ଖଣ୍ଡି ମୋର ଭୁଶୁଡ଼ି ଗଲଣି ଛପର ତ ଉଡ଼ି ଯାଇଛି |
ଅଧେ ବିଲ ମୋର ପଡ଼ିଆ ପଡ଼ିଛି ଭାଗ ଚାଷୀ ମିଳୁ ନାହାନ୍ତି
ଚାଷରୁ ବିମୁଖ ଆଜିର ଯୁବକ ଦାଦନ କାମରେ ଧାଆଁନ୍ତି |
କୃଷିରେ ମଜୁରୀ ବଢ଼ି ବଢ଼ି ଚାଲେ ବେଳୁ ବେଳ ମୁଣ୍ଡ ବିନ୍ଧୁଛି
ଦ୍ୱିଘଣ୍ଟା କାମକୁ ତିନିଶହ ଟଙ୍କା ହାଡ଼େ ହାଡ଼େ ଗଣି ଦେଉଛି |
ଯେତିକି ଖରଚ କରୁଛି ତାହାର ଏକ ତୃତୀୟାଂଶ ମିଳୁଛି
କରଜର ଭାର ବଢ଼ି ବଢ଼ି ଚାଲେ କ'ଣ କରିବି ଭାବୁଛି |
ଝିଅ ବିଭା ହେବ ପୁଅ ତ ପଢ଼ିବ ଘର ମରାମତି ଚାହୁଁଛି
କାଣି କଉଡିଏ ହାତରେ ନାହିଁ ମୁଁ ଆକାଶ କୁସୁମ ତୋଳୁଛି |
ଯେତିକି ପାରିବି ସେତିକି କରିବି ମଜୁରୀ ଲାଗିବି ଏଣିକି
ମୂଲ ନମିଳିଲେ ଛାଡ଼ି ଭିଟାମାଟି ଦାଦନରେ ଯିବି ଯେଣିକି |
ବିଲ ବିକି ଦେବି କରଜ ଶୁଝିବି ନାମ ମାତ୍ର ଚାଷୀ ହେବିଟି
ବିପିଏଲ ହେବି ଚାଉଳ ପାଇବି କରିବିନି ଭିଡ଼ ପାଇଟି |
ଘର ପାଇଖାନା ବିଜୁଳି ଆଲୁଅ ଶ୍ରମିକ କାର୍ଡ ପାଇକି
ଚିନ୍ତା ରହିବନି ଝିଅ ବାହାଘର ପୁଅ ପାଠ ପଢ଼ା ପାଇଁକି |
ଖଟି ଖଟି ମୋର ଅଣ୍ଟା ପିଠି ବାତ ଅୟସ କରିବି ଏଣିକି
ଗରିବ ହୋଇକି ସବୁ ସରକାରୀ ସୁବିଧା ଆଣିବି ଟାଣିକି |
ଏ ମୋର ବିଚାର ଆଜି ମୁଁ ନାଚାର ପାରୁନାହିଁ ଧୈର୍ଯ୍ୟ ଧରିକି
ପ୍ରଭୁ ଜଗନ୍ନାଥ ଡାକେ ଏ ଅନାଥ ମନସ୍କାମ ଯାଉ ପୂରିକି |
