କାହିଁକି କାଳିଆ
କାହିଁକି କାଳିଆ
ପତିତପାବନ ବାନା ଉଡାଉଛ
ପାପ ବିନାଶନ ପାଇଁ
ମୋହରେ ବୁଡ଼ାଇ ପାପରେ ଘାଣ୍ଟୁଛ
ମୋତେ ସଦା କାହିଁ ପାଇଁ I
ସୃଷ୍ଟିର ସର୍ଜନା ନିଜ ହାତେ କଲ
ମଣିଷ ଜନମ ଦେଲ
ମାୟାର ସାଗରେ ବୁଡାଇଣ ମୋତେ
ଦୁଃଖ ଖାଲି ଦୁଃଖ ଦେଲ I
ତୁମେ ପରା ପ୍ରଭୁ ଦୟାର ସାଗର
ଭକ୍ତ ବନ୍ଧୁ କୃପାସିନ୍ଧୁ
କି ଦୋଷ ଦେଖିଣ ନିଷ୍ଠୁର ହୋଇଲ
ଝରେ ନାହିଁ କୃପା ବିନ୍ଦୁ I
ବାରବାର ତୁମେ ଅବତରି ଅଛ
ପୃଥ୍ୱୀ ଭାର ନାଶିବାକୁ
ଶେଷରେ ରହିଲ ନୀଳ କନ୍ଦରରେ
ଭକ୍ତ ଦୁଃଖ ହରିବାକୁ I
କପଟୀ ଠାକୁର କପଟ କରୁଚ
ଲୀଳା ବୁଝି ହେଉନାହିଁ
ବଡଦେଉଳେ ବେନି ଡୋଳା ମେଲି
ବସିଅଛ କାହିଁପାଇଁ I
ତୁମରି ସୃଷ୍ଟିରେ ନିଜ ହାତେ ଗଢି
ହତାଦର ଏବେ କର
କାହାକୁ କହିବି କିଏ ବା ହରିବ
ଦୁଃଖ ବେଳୁ ଗୁରୁତର I
ଭକ୍ତି ନାହିଁ ସିନା ମାୟାରେ ବାନ୍ଧିଛ
ବିଶ୍ୱାସ ତ ଦୃଢ ଅଛି
ଆଉ କେତେ ଦୁଃଖ ଯାତନା ରଖିଚ
ମୋ ଭାଗରେ ତୁମେ ବାଛି ?
