STORYMIRROR

Jagannath Barik

Inspirational

4  

Jagannath Barik

Inspirational

ମୁଁ କେମିତି କହିବିରେ

ମୁଁ କେମିତି କହିବିରେ

1 min
544

ମୁଁ କେମିତି କହିବି ରେ 

      ତୁ ତ ଓଡ଼ିଆ ଘରର ବୋହୁ 

ବଡ଼ି ସକାଳରୁ ଶେଯରୁ ନଉଠି 

     ଆଠଟା ପର୍ଯ୍ୟନ୍ତ ଶୋଉ ।(୦)

ଶାଶୁ ବୁଢ଼ୀ ବାସି ପାଇଟି କରଇ 

     ଉଠିଲେ ସାଧୁଛୁ ଦାଉ 

ପତି ଚା 'କରି ହାତକୁ ବଢ଼ାଏ 

      ଅଘଷା ପାଟିରେ ପିଉ ।(୧)

ଶାଢ଼ୀ ବଦଳରେ ସେଲୁଆର ପିନ୍ଧି 

      ବଜାରକୁ ବୁଲି ଯାଉ 

କାନ୍ଧରେ ଭ୍ୟାନିଟି ହାଇହିଲି ଚଟି 

      ଚଷମା ଲଗାଇ ଥାଉ ।(୨)

ମଥାରେ ଓଢ଼ଣା ସିମନ୍ତେ ସିନ୍ଦୂର 

      କେବେ ତୋର ଦେଖି ନାହୁଁ  

ଓଟ ପରି ମୁହଁ ଉପରକୁ ଟେକି 

      ଦାଲୁ ଦାଲୁ ଚାଲୁଥାଉ ।(୩)

ପୁଣ୍ୟ ସାୟଂକାଳେ ତୁଳସୀ ମୂଳରେ 

     ସଞ୍ଜ ଦେବା ଦୂରେ ଥାଉ 

ଭାଗବତ ପୋଥି ନାଁ ଧରିଦେଲେ 

     ହେଉଥାଉ ରାଉ ରାଉ ।(୪)

ଯାଆ ଦେଢଶୁର ଶ୍ୱଶୁର ଶାଶୁଙ୍କୁ 

     ଟିକିଏ ଶଙ୍କିତ ନୋହୁ 

ବାର ବାର ବସି ଆଇନା ଆଗରେ 

     କେତେ ତୁ ସଜେଇ ହେଉ ।(୫)

ପର୍ବପର୍ବାଣିରେ ଚିତା କି ମୁରୁଜ 

     ପକାଇବା ଜାଣୁନାହୁଁ 

ପିଠାପଣା ତୋତେ କରିବା ଆସେନା 

    ଭଲ ମନ୍ଦ ବାରୁ ଥାଉ ।(୬)

ଗୁହାଳ ଗୋବର ନାଁ ଶୁଣିଦେଲେ 

    ସାତ କିଆରୀ ତୁ ଡେଉଁ 

ଏକାଦଶୀ ଗୁରୁବାର ଓଷା ବ୍ରତେ 

    ଆଇଁଷ ବନେଇ ଖାଉ ।(୭)

ଲଜ୍ଜା ମହତକୁ ପୋଡ଼ି ଖାଇଲୁଣି 

    ଦେଖାଉ ଶୁଖିଲା ଭାଉ 

ପୁରୁଷ ଗହଳି ଭିତରେ ବିହରି 

     ଖିଲି ଖିଲି ହସୁଥାଉ ।(୮)

ବାପଘର ପକ୍ଷ ନେଇ କହୁ ବାକ୍ୟ 

    ଶାଶୁ ଘର ଦୋଷ ଗାଉ 

ଗୁରୁ ଗୁରୁଜନେ ଶୋଚନା ନାହିଁ ତୋ 

    ହାଏ ବାଏ ଟାଏ କହୁ ।(୯)

ଯୋଗୀ ଭିକାରୀକୁ ଦୁଆରେ ଦେଖିଲେ 

    କଟୁ କହି ତଡ଼ି ଦେଉ 

ଦିନ ରାତି ଖାଲି ଧରି ମୋବାଇଲି 

   କାହା ସଙ୍ଗେ ଗପୁଥାଉ ।(୧୦)

ଯାହାତ ହେବାର ହୋଇ ତ ଗଲାଣି 

    ବାଟକୁ ଆସିବା ହେଉ 

କୁଳବଧୂ ହୋଇ କୁଳର ମର୍ଯ୍ୟାଦା 

    କ୍ଷୁର୍ଣ୍ଣ କରନାହିଁ ଆଉ ।(୧୧)

ପରକୁ ଆପଣା କରିବାର କଳା 

     ଏବେ ତୋର ଦୀକ୍ଷା ହେଉ 

ସେବା ତ୍ୟାଗ ସ୍ନେହ ବିନୟ ଗୁଣରେ 

    ହେବୁ ଓଡ଼ିଆଣୀ ବୋହୁ ।(୧୨)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational