ଜାର ପ୍ରେମ
ଜାର ପ୍ରେମ
ତୁଳସୀ ପରି ସେ ଦୁଇ ପତରରୁ ବାସୁଥିଲେ ମହମହ
ରୂପେ ଗୁଣେ ଜ୍ଞାନେ ଶ୍ରମ ସଂସାଧନେ ବିଚକ୍ଷଣ ବଳବହ |
ଛାତ୍ର ଜୀବନରୁ ଅରଜିଲେ ଯଶ ପର ଉପକାରେ ଚିତ୍ତ
ଦୀନ ଆର୍ତ୍ତୀ ଭୋକି ଦୁଃଖ ହରଣରେ ଅକୁଣ୍ଠରେ ସାରି ବିତ୍ତ |
ଦୀପଶିଖା ପରି ନିଜେ ଜଳି ଜଳି ଅପରେ ଆଲୋକ ଦେଇ
ଚାକିରୀ କ୍ଷେତ୍ରରେ ସାଧୁତା ପଣରେ କୀର୍ତ୍ତି କେତନ ଉଡ଼େଇ |
ଭଲ ପାଇ ଜଣେ ବରବର୍ଣ୍ଣିନୀର ସାଦରେ ଧରିଲେ କର
ସୁଖେ ଆରମ୍ଭିଲେ ସୁନାର ସଂସାର ହସି ଉଠୁଥିଲା ଘର |
ଏକ ପୁତ୍ର ଏକ ସୁତା ହେଲେ ଜାତ ବିଧାତାଙ୍କ ବରଦାନ
ସହସା ଆସିଲା ଜୀବନରେ ଝଡ଼ ସୁଖ ଶାନ୍ତି ଅବସାନ |
ଘଟଣାକ୍ରମରେ ସଂସାର ମଧ୍ୟରେ ତୃତୀୟ ପୁରୁଷ ପଶି
ଶାନ୍ତି ତପୋବନ କଲା ଶମଶାନ ପତ୍ନୀ ଗଲା ପ୍ରେମେ ଫସି |
ବିଶ୍ୱାସରେ ବିଷ ଭରିଲା ପାପିଷ୍ଠ ଚାଲିଲା ଚୋରା ପୀରତି
ପତ୍ନୀ ଆଚରଣ ଚରିତ୍ର ଦୂଷଣ ଛାତିକୁ ଦିଏ କରତି |
ଉପପତି ପ୍ରେମ ବାରଣେ ଅକ୍ଷମ ପତି ହେଲେ ପରାହତ
ଦେଖି ହୁଏନି କି ଦେଖାଇ ହୁଏନି ଯେସନେ ଅଜାଗା କ୍ଷତ |
ଲୁଣ ଖାଏ ହାଣ୍ଡି ଚିନ୍ତା ଖାଏ ଗଣ୍ଡି ବଢ଼ିଗଲା ରକ୍ତଚାପ
ସରଳ ନିଷ୍ପାପ ବିଜୟଙ୍କ ପାଇଁ ଭାଗ୍ୟର ଏ ଅଭିଶାପ |
ଜାର ମହା ରାହୁ ଗ୍ରାସିଦେଲା ଚାହୁଁ ଚାହୁଁ ପୂର୍ଣ୍ଣ କଳାକର
ଘୁଣଖିଆ ଧନୁ ପ୍ରାୟ ସୁନା ତନୁ ଦୁର୍ବଳୁ ଦୁର୍ବଳତର |
ମାତା ସୁତା ସୁତ ବିଟପ ସହିତ ହୋଇଗଲେ ଏକାକାର
ଗୃହକର୍ତ୍ତା ଆଜି ଅଲୋଡ଼ା ଅଖୋଜା ଘର ଯଥା କାରାଗାର |
ହୋଇ ହନ୍ତସନ୍ତ ଦିନେ ଅକସ୍ମାତ ପ୍ରାଣପକ୍ଷୀ ଗଲା ଉଡ଼ି
ପତ୍ନୀ ମୁଖେ ଦୁଃଖ ନଥିଲା ତିଳେକ ଜନତା ଲୋତକେ ବୁଡ଼ି |
ଦୁଶ୍ଚରିତ୍ରା ନାରୀ ସଂସାର ବଇରୀ ଲୋକ କଲେ ଛିଇ ଛିଇ
ନିନ୍ଦା ଅପନିନ୍ଦା ପଛରେ ପକାଇ ନିର୍ଲଜୀ ରହିଲା ଜିଇ |
ହାରିଲା ବିଜୟ ଧର୍ମ ପରାଜୟ ପାପିନୀର ହେଲା ଜୟ
ପ୍ରେମ ରାଜ୍ୟ ତାଙ୍କ ହେଲା ନିଷ୍କଣ୍ଟକ ନୂତନ ଭାଗ୍ୟଉଦୟ |
ଏଇତ ଦୁନିଆ ନହୁଅ ଛାନିଆ ଏଠି ସକଳ ସମ୍ଭବ
ଅଣ୍ଟି ଛୁରୀ ଦିନେ ତଣ୍ଟି କାଟିଦିଏ ବେଳୁ ଚିନ୍ତ ରାଧାଧବ |
