କେତେ କୁହୁଡ଼ି ଆଡ଼େଇ ଆସେ ସୂରୁଜ
କେତେ କୁହୁଡ଼ି ଆଡ଼େଇ ଆସେ ସୂରୁଜ
ଶୀତୁଆ ପ୍ରଭାତେ କେତେକୁହୁଡ଼ି ଆଡ଼େଇ ଆସେ ସୂରୁଜ
ଦୂର ଦିଗନ୍ତର ପୂର୍ବାକାଶରେ ବୁଣେ ସିନ୍ଦୂରା ମୁରୁଜ ।
ଶିହରଇ ମତୁଆଲା ଧରଣୀ ପାହାନ୍ତିଆ ପ୍ରହରରେ
ସବିତା ସମାଗମେ ଅରୁଣିମା ହୃଦକାନ୍ତି ତୃପ୍ତ କରେ ।
ପାହାଡଚୁଡ଼ାରେ ନରମକିରଣ ଉଷାର ପ୍ରହର ଗଣେ
ସୀମାହୀନ ସାଗରକୂଳେ ପୁଣି ଆନନ୍ଦର ଲହଡି ଆଣେ ।
ବାତାୟାନ ପାଶେ ଅଳସୀ ଭ୍ରମର ଗୁଣୁଗୁଣୁ ଗୀତ ଗାଏ
ଶୀତୁଆ ସମୀରେ ସ୍ବପ୍ନର ପ୍ରଜାପତି ହସି ଖେଳି ଉଡି ବୁଲେ ।
ନବ ଆଲୋକର ନୀରବ ସ୍ପର୍ଶରେ ହିମକଣା ହୁଏ ବିଞ୍ଚି
ଝାପ୍ସା କୁହୁଡ଼ିର ଆସ୍ତରଣରେ ସବୁଜଧରା ଯାଏ ଲୁଚି ।
କୁହୁଡ଼ି ଆଢୁଆଳେ ଶିଶିରବିନ୍ଦୁ ଖୋଜେ ଖୁସିର ପସରା
ଦୂର ଉପବନେ ଗଙ୍ଗଶିଉଳୀ ବାସେ ମହକିଯାଏ ଧରା ।
ଡେଣା ଝାଡ଼ିଦେଇ ନାନା ବିହଙ୍ଗମ ଉଡନ୍ତି ଉଚ୍ଚ ଆକାଶେ
ପୁଷ୍ପକଢି ପ୍ରସ୍ଫୁଟିତ ହୋଇ ଉଦ୍ୟାନେ ଅତି ମନୋହର ଦିଶେ ।
ଶୁଭେ ପକ୍ଷୀଙ୍କ ମଧୁର କାକଳି ସବୁଜବନାନୀ ବୃକ୍ଷଡାଳେ
ମୃଦୁ ସମୀରଣ ଛୁଆଁରେ ପଦ୍ମପାଖୁଡା ଲହରୀ ସଙ୍ଗେ ଖେଳେ ।
ପାହାନ୍ତିଆ ସକାଳରେ ବରଗଛ ତଳେ କାଠିକୁଟା ଜାଳି
ବୃଦ୍ଧବୃଦ୍ଧା ମିଶି ଅନଳ ଉଷ୍ମତା ଶରୀରେ ହୁଅନ୍ତି ବୋଳି ।
ଶୁଭେ ପ୍ରଭାତରେ ମନ୍ଦିର ଆଳତି ପ୍ରତିଘରେ ଶଙ୍ଖ ହୁଳହୁଳି
ଆହେ ଜଗନ୍ନାଥ ତବ କୃପା ଲଭି ମନୁଷ୍ୟର ଷଡରିପୁ ଯାଉ ଜଳି ।
ଅପହଡ ହେବେ ଭାବଗ୍ରାହୀ ତୁଳସୀ ଚନ୍ଦନ କର୍ପୂର ହେବ ଲାଗି
ଦୈବପାକ ପରଷିବେ ଲକ୍ଷ୍ମୀ ଠାକୁରାଣୀ ଆଦରିବେ ଛପନଭୋଗୀ ।
ରକ୍ତିମ ଅମ୍ବର ଧୂମ୍ରଦିଗବଳୟ ସୃଷ୍ଟିର ଆହା କି ସୁନ୍ଦର ଛବି
ପ୍ରକୃତି ପ୍ରେମରେ ଲେଖନୀମୁନରେ ସୁନ୍ଦର ସର୍ଜନା କରେ କବି ।
ଫିକାହୁଏ ରୌଦ୍ରତାପ ପଶ୍ଚିମ ଆକାଶେ ନିଶାମୁଖ ଆଗମନେ
ଅସ୍ତଗାମୀ ହୁଏ ରବି ଦେଇ ନୂଆଆଶା ଫେରିବ ପୁଣି ଗଗନେ ।
ଶିଖାଇଯାଏ ସୂରୁଜ ମିଛ କୁହୁଡ଼ିରେ ହୁଅ ନାହିଁ ଦିଗହରା
ମିଛମାୟାର ସଂସାରେ ମହାପ୍ରଭୁ ଜୀବନର ଏକମାତ୍ର ସାହାରା ।
