STORYMIRROR

DHARITRI SAHU

Fantasy

3  

DHARITRI SAHU

Fantasy

ବଉଳ ବେଣୀ

ବଉଳ ବେଣୀ

1 min
99


କୁଆଁର ପୁନେଇଁ ଜହ୍ନ ଆସୁଥିଲା

ସାଙ୍ଗେ ନେଇ କେତେ ତାରା ର ଫୁଲ,

 ହୃଦୟ ପଶରା ଭରି ଦେଉଥିଲା

ଲୁଚି କରୁଥିଲା ସିଏ ବି ଗେହ୍ଲ।

ଆଶା ଉନ୍ମାଦନା ଜାଗି ଉଠେ ମନେ

ସାଙ୍ଗ ସାଥି ମେଳେ ଖେଳିଣ ପୁଞ୍ଚି,

ପୁଞ୍ଚି ଘୁଞ୍ଚିଗଲା ଦୁର ରାଇଜକୁ

ଦେଇଗଲା ଖାଲି ମେଞ୍ଚା ଏ ସ୍ମୃତି।

କୋଳରେ ଜନ୍ମିଲା କନ୍ୟା ରତ୍ନ ଟିଏ

ତା ପାଇଁ ପୁଜିଲି କୁଆଁରୀ ଜହ୍ନ,

ସିଏ ଚାଲିଗଲା ସିମନ୍ତିନୀ ସାଜି

ପୁଣି ଝୁରି ହେଲା ଚକୋରୀ ମନ।

ବୋହୁ ର ପ୍ରଥମ ବରଷ ପୁନେଇ

ପିଠା ପଣା କରି ପୁଜିଲି ଚାନ୍ଦ,

ତାପରେ ନାଚୁଛି କୁନି ନାତୁଣୀ ଟି

ତା ସାଙ୍ଗେ ନାଚୁଛି ଦେଇ ମୁଁ ଛନ୍ଦ।

ସକାଳ ପ୍ରହରୁ ଆଞ୍ଜୁଳି ସେ ଦେଲା

ସ୍ମୃତି ଅଣ୍ଡାଳିଣ ଦେଲି ତା ସାଥେ,

ପିଠା ପଣା କରି ବେଳ ଥାଉଁ ଥାଉଁ

ବନ୍ଦାଇଲି ଯାଇଁ କଅଁଳ ଚାନ୍ଦେ।

ଜୀବନ ର ଏହି ପର୍ଯ୍ୟାୟରେ ଆଜି

ସ୍ତବ୍ଧ ହୋଇଯାଏ ଭାବିଲେ ସତ,

କାଲି ଭଳି ଲାଗେ କୁଆଁରୀ ଜୀବନ

ଶୁଭିଯାଏ ଜେଜେମା ର ଡାକ।

ହୁଏତ କାଲି ମୁଁ ଥିବି କି ନ ଥିବି

ଚାନ୍ଦ ସବୁଦିନ କୁଆଁରୀ ହେବ,

ବଉଳ ବେଣୀର ଗୀତ ଶୁଭୁଥିବ

ଆଉ କିଏ ପୁଣି ଜେଜେମା ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy