STORYMIRROR

Prashantam Bapu

Abstract Fantasy

3  

Prashantam Bapu

Abstract Fantasy

ଅନ୍ଧାରୀ ନିବୁଜ କୋଣରେ

ଅନ୍ଧାରୀ ନିବୁଜ କୋଣରେ

1 min
199


ମନର କେଉଁ ଏକ ଅନ୍ଧାରୀ ନିବୁଜ କୋଣରେ 

ଫଣା ଭାଙ୍ଗି ମୋଡ଼ିମାଡ଼ି ହୋଇ

ତୋ ପ୍ରତି ପାପ ଟିକିଏ ଶୋଇଛି 

ଏ ପାପ ତୋରି ଦେହରେ ସୀମିତ କି ?


ବେଳେବେଳେ କେଉଁ ଏକ ନିଶୂନ୍ ନିଃସଙ୍ଗ ରାତିରେ

ଏ ଦେହ ଶୋଇଥିବା ବେଳେ ସେ ଚେଇଁ ଉଠେ

ବାଟ ଅରାଣ୍ଡେ ତୋ ଫାଶରେ ପଡ଼ି 

ତୋରି ଦେହରେ ମିଶି ଗଜା ଧରିବାକୁ 

 

ତୁ ସନ୍ଦେହ କରିପାରୁ କି ମୁଁ ତୋ କଥା ନୁହେଁ 

ଆଉ କାହା କଥା କହୁଛି 

କେବେ କେବେ ଡର ବି ଲାଗେ 

କାଳେ ତୁ ଏକାନ୍ତରେ ପଚାରି ଦେବୁ

ହୁଏତ ପଚାରିବା ଠିକ୍ ହେବନି ଭାବି 

ମନେ ମନେ ଧନ୍ଦି ହେବୁ 


ତୁ ଯଦି କେବେ ପଚାରିଦେଉ 

ମୁଁ କଥା ବୁଲେଇବା ପାଇଁ 

ହସରେ ଉଡ଼େଇ ଦେବି

ତୁ ଜିଦ୍ ଧରିବୁ ଜାଣିବାକୁ  

ମୁଁ ନିରୁତ୍ତର ରହି ମନେ ମନେ ଅଣ୍ଡାଳି ହେଉଥିବି

ତୋତେ କ'ଣ କହି ଭୁଲେଇ ହେବ ?

 

ହେଲେ କେମିତି ଯେ ମୁହେଁ ମୁହେଁ 

ତୋ ଆଖି ଅଇନାରେ ଆଖି ମିଳେଇ 

କହି ପାରିବି କି ତୁ ସେହି ବୋଲି 

କିମ୍ବା ତୁ ସେ ନୁହେଁ ବୋଲି ?


ଏଠି ସତ ମିଛ କାହାର ବି ଦାମ୍ ନାହିଁ 

ମୁଁ ଜାଣେ ସତ କେହି ହଜମ କରିବେନି

ଡାହା ମିଛକୁ ବି ନିରାଟ ସତ କହି 

ନଅ ଛଅ ଯୋଡ଼ି ଛେଳିକୁ କୁକୁର କରିବେ

ସଜ ମାଛରେ ପୋକ ପକାଇବେ


ସେମାନେ ତ ଦିନ ତମାମ 

ମୋ ଭଳି ସଚ୍ଚୋଟ 

ପାପୀଟିଏର ସନ୍ଧାନରେ ଥାଆନ୍ତି 

ସେମାନଙ୍କ ପାପ ଘୋଡ଼ାଇବାକୁ

ବଳି ପଡ଼ିବାକୁ ହୁଏ 

ମୋ ଭଳି ନିରୀହ ବୋଦା ଯେତେଙ୍କୁ  


ଧରିନେଇପାରୁ କି ମୁଁ ତୋର ଏ 

କଂସେଇ ସମାଜକୁ ଡରି ଲୁଚୁଛି 

ହଁ ! ତା' ଅରଗଳିରେ ଶିର ରଖିବାର 

ସତରେ ମୋର ଆଉ ସାହସ ନାହିଁ 

କି ତା' ଭୋକିଲା ଲୋଲୁପ ଦୃଷ୍ଟିରୁ 

ତୋତେ ରକ୍ଷା କରିବାର 

ମୋ ପାଖେ ଅନ୍ଯ ଚାରା ବି ନାହିଁ 


ସେ ପାପଟି ମୋ ମନର 

ସାତତାଳ ପଙ୍କ ତଳେ 

ସାତ ସିନ୍ଧୁକ ଭିତରେ 

ରକ୍ତ ମାଂସର ଫରୁଆ ଭିତରେ ଗୁପ୍ତ ରହୁ

ତୋ ଜାଣିବା ନଜାଣିବାରେ 

ତୋ ଦେହକୁ ଭୋଗିବାରେ

କି ତୋତେ ସମ୍ପୂର୍ଣ୍ଣ ନିଜର କରିବାରେ

ମୋ ତୃଷ୍ଣାର ସମାପ୍ତି ନାହିଁ 


ତେଣୁ ପଚାରିବୁନି କେବେ 

ସେ କିଏ ବୋଲି ?

କି ମନରେ ଧରିନେବୁନି ଯେ

ସେ କେବଳ ତୁ ବୋଲି ....।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract