STORYMIRROR

Panchanan Jena

Fantasy

3  

Panchanan Jena

Fantasy

କଥା ସରିଲା ଜାଣ

କଥା ସରିଲା ଜାଣ

1 min
157


କଥାରୁ ଲମ୍ବେଇଥାଏ ଡଙ୍କେଇଯାଏ 

ଡାଳେଇଯାଏ ପତରେଇଥାଏ କଥା

ଚାଳ ଉପରେ ଯେମିତି ଡେମ୍ଫେଇଥାଏ

ଧାରା ଶିରାବଣ ଆସୁ ଆସୁ

ପୋଇ-ଲାଉ-ପାଣିକଖାରୁ ଲତା 


କଥାରୁ ମହକେ ଆତ୍ମୀୟତା

ଧିରେ ଧିରେ ଚହଟେ ଲୋକପ୍ରୀୟତା

ଫୁଲ ଫୁଟିଲେ ଯେମିତି

ଖେଳିଯାଏ ସୁବାସିତ ପ୍ରସନ୍ନତା


କଥାରୁ ଅଙ୍କୁରେ ଡେଣା

ଉଡି ବୁଲେ ଏ ଘରୁ ସେ ଘର

ଦାଣ୍ଡ ଅଗଣା

ଗାଁ ଗଣ୍ଡା ଡେଇଁ 

ହୋଇଯାଏ ବାଟବଣା

କେବେ କେବେ ତୁଣ୍ଡ ବାଇଦ

ମାନ୍ୟରେ ଭିଆଣ କରେ

ଛୋଟ ମୋଟ ଅପରାଧ ଦୁର୍ଘଟଣା ।


ତୁମେ ଶୁଣିଥିବ

କହି ଜାଣିଲେ କଥା ସୁନ୍ଦର

ବାନ୍ଧି ଜାଣିଲେ ବେଶୀ ସୁନ୍ଦର

ରାନ୍ଧି ଜାଣିଲେ ତିଅଣ କଚେବାର

କଥା ବାଣ୍ଟିଲେ ବନ୍ଧୁ ପରିବାର

ଗୁନ୍ଥି ରହନ୍ତି ଫୁଲମାଳ ଯେମିତି

ଏକତା ସୂତ୍ରରେ ସଦାବାହାର 


କଥା ଶୁଣିବାରେ ଥାଏ ମାଦକତା

ବଖାଣିବାରେ ଦିଶେ ମିତବ୍ୟୟୀତା

ବର୍ଷା ବର୍ଷିଲେ ଯେମିତି

ମାଟି ମନସ୍କ ଗନ୍ଧ ଖେଳିଯାଏ ଚଉଦିଗେ

କଥା ଲହରୀ ଉଉଁରୀ ଚଉଁରୀ

ବନେଇ ପାରେ ବକ୍ତା ବାଗ୍ମୀ ନେତ୍ରୀ 

ଭବିଷ୍ୟତ ସମାଜସେବକ ସୁରୀ


କୁହାମୁଣ୍ଡା କପିଳାମାନେ 

କଥାରେ ମିଶାନ୍ତି କଟୁକ୍ତି ବିକ୍ରୋକ୍ତି

ଛାତି ପଞ୍ଜରା ଫଟେଇ ଦେଇ ବକନ୍ତି

ତୁଣ୍ଡ କମାଣରୁ ଖାଲି

ବାହାରୁ ଥାଏ ତୁହାକୁ ତୁହା

ଗାଳି-ଗୁଳି 

ରକ୍ତାକ୍ତ କ୍ଷତାକ୍ତ କରିବାରେ

ସକ୍ଷମ ହୁଅନ୍ତି

ବାକ୍ୟବାଣ ଆଗରେ

ମୁଣ୍ଡ ନୁଆଇଁ ଆଣ୍ଡେଇ ବସନ୍ତି ଜନ୍ତୁରାଣ 


ତୁମେ ଜାଣିଥିବ

କଥାରେ ଅଛି ଅମୃତ - ବିଷ

କଥାରେ ନଥା ଯୋଡି ପାରିଲେ

ମହୁ ଠାରୁ ମିଠା

ହସୁଥାଏ ଶ୍ରୋତା

ପୁଣି କଥାରେ କର୍କଶିଆ ହେଣ୍ଟାଳ

ଆଦେଶ ଦିଆ କଳି କଜିଆ ତକରାଳ

ମିଶିଗଲେ ଫେଣ୍ଟିଗଲେ

ଲେମ୍ବୁ ସରବତରେ 

ଚିନି-ଲୁଣ ପରି

କଥା ସରିଲା ଜାଣ

ଆଗ ମଗୁଶୀରକୁ କଟି

 ରହିଲା ରାଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy