STORYMIRROR

Panchanan Jena

Fantasy

3  

Panchanan Jena

Fantasy

ଘଣା ଟଣେଇବି

ଘଣା ଟଣେଇବି

1 min
180


ଭାରି ରାଗ ଲାଗେ

ଗଲେ ଚାନ୍ଦମଣି -ଯମୁନାଶୂଳ ବା ତାଳସାରୀ

ବୁଲିଗଲେ ଡଗରା - ଚାନ୍ଦିପୁର ବା ପୁରୀ

ଲୁଣିଆ ସାଗର 

ପାଣିଆ ପାରାବାର ଉପରେ

ମହୋଦଧି ନା ମୋଟାବୁଦ୍ଧି

ଗର୍ଜନ ତର୍ଜନ 

ଫେଣ ନିଗାଡି କେବଳ ତୁମ୍ଭି ତୁଫାନ

ଶବ୍ଦ ପ୍ରଦୂଷଣ ନାଁରେ

କେବଳ ଉତ୍ତମ ମଧ୍ୟମ ପ୍ରହସନ ।


ଆହୁରି ରାଗ ମାଡ଼େ

ଶୂନ୍ ଶାନ୍ ବେଳାଭୂମୀ ଉପରେ

ଚୁପ୍ ଶଇତାନ କେଉଁଠିକାର

ଗଇଁମାରୁଆ 

ଲୁଣିଆ ପାଣି ପିଇ ପିଇ

ଶୋଇ ରହିଛି ଗଣ୍ଡିମାରି ସାବଳିଆ

ନାଲି କଙ୍କଡା ଗାତ କରି ସାରିଲେଣି

ଫମ୍ପାମୁଣିଆ 

ତଥାପି ବହପ ଦେଖ

କଇଁଛ କାଢିଛି ବେକ 

ଲମ୍ବା ଶୁଳିଆ ।


ଆରକ୍ତ ଆଖିରେ ମୋର

ରାଗ ଚାରିଗୁଣା ବଢିଯାଏ

ଚଢିଯାଏ ଥରକୁ ଥର

ବୁଲି ଗଲେ ସମୁଦ୍ର ବେଳାଭୂମୀ 

ବାଲି ପ୍ରାନ୍ତର 

ଝାଉଁବଣର ଗହଳ ଫାଙ୍କରୁ

ଅସ୍ତାଚଳଗାମୀ ଭାସ୍କର ରଶ୍ମୀ

ଝରିପଡ଼େ ଥରକୁ ଥର

ସୁନା ରଙ୍ଗରେ ଆଉଟି

ପୂରା ଦରିଆ ପାଲଟି ଯାଇଛି

 କୁବେର ପୁର ।


ବଦମାସ ନୀଳ ସାଗର

କପଟୀ ଲୁଣା ଭପକୂଳ

ଗୁପ୍ତ ମନ୍ତ୍ରଣା କଲେ

ଦୁହେଁ ମିଶି ଭାଙ୍ଗିଲେ

ଆମେ ଗଢିଥିବା ବାଲିଘର 

ଧୋଇ ଦେଲେ 

ଆମ କୁନି ଜୁନି ପଦଚିହ୍ନର 

ଭାସ୍କର୍ଯ୍ୟ କାରୁକାର୍ଯ୍ୟ ଗନ୍ତାଘର ।


ନାଲିସ କରିବି

କୋର୍ଟ କଚେରୀ ଦୁହିଁକି ଟାଣିବି

ଆଇନର ଲମ୍ବା ହାତରେ 

ଘୋଷାଡି ଘୋଷାଡି

ସବୁ ଆଣ୍ଟ ହୁଗୁଳା କରିବି

ସୁଲୁସୁଲିଆ ଦକ୍ଷିଣା ପବନ

ଅନନ୍ତ ଦିଗ୍ ବଳୟ 

ନିଳିଆ ଆକାଶ କେବଳ ସାକ୍ଷୀ ରହିଛନ୍ତି

ଆମ ସ୍ମୃତିସୌଧର ନିର୍ମାଣ ଖବର

ମୁଖ୍ୟ ଖବର ପରି 

ଆଖି ଦେଖା ଘଟଣା ବର୍ଣ୍ଣନା କରିବେ

ହାଜତରେ ପଶେଇବି

ଭଦ୍ରମୁଖା ତଳେ ଲୁଚିଥିବା ଟାଉଟରମାନଙ୍କୁ

ଅୟୁତ ନିୟୁତ ବର୍ଷ ପରେ

ମାମୁଁ ଘରେ ଘଣା ଟଣେଇବି 

ଜେଲ ଡାଲି ଭାତ ଖୁଏଇବି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy