ଶୀତରାଣୀ
ଶୀତରାଣୀ
ଉପନୀତ ବୟସର ଅପରାହ୍ନ
ଘୋଟି ଆସେ ମୁହଁସଞ୍ଜ
ଦର୍ପଣରେ ପ୍ରତିବିମ୍ବ ଦିଶଇ ଅସ୍ପଷ୍ଟ,
ଦେଖୁଛି ନିରେଖି ବସି ଝାପ୍ସା ଝାପ୍ସା
ଆକ୍ତାମାକ୍ତା ମୋ ସ୍ବରୂପ
ଲାଗଇ ଅବଶ ଅଙ୍ଗ ମାନସ ବିବ୍ରତ ।
ଅମାନିଆ ଋତୁଚକ୍ର ନାଚୁନାହିଁ
ଝୁମିଝୁମି ଶୀତରାଣୀ
ଥରୁନାହିଁ ପ୍ରାଣତନ୍ତ୍ରୀ ଅସହଜ ସ୍ମୃତି,
ଧୂଆଁଧୂଆଁ କୁଜ୍ଝଟୀକା ଶୀତରାତି
ନୀରବ ଜୀବନ ଗୀତି
ସ୍ବପ୍ନ ପ୍ରାତଃ ଛଳଛଳ ସୁମଧୁର ପ୍ରୀତି ।
ପ୍ରଦୂଷିତ ଦଶଦିଶ ବରଷୁନି
ନିୟମିତ କଳାମେଘ
ଶୁଷ୍କମରୁ ବିଲପାଟ ଗହୀର ନିରସ,
ଚାଷ ନାହିଁ ଆଗପରି ମଗୁଶିରେ
ଫଳୁନାହିଁ ସୁନାଶସ୍ଯ
ଧାନକ୍ଷେତୁ ଛୁଟୁନାହିଁ ମହମହ ବାସ ।
ଉହ୍ମେଇରେ ନାହିଁ ତାତି ଚାହାକପ
ଉଷ୍ମ ଆବେଗ ବିହୀନ
ଲାଗେ ଭୟ ଅଗ୍ନିସ୍ପର୍ଶ ଶରୀର ଶିଥିଳ,
ଶୀତରାତି ବିଗତ ଅନିନ୍ଦ୍ୟ ସ୍ମୃତି
ରହିଛି ଅଭୁଲା କିନ୍ତୁ
ଉଦ୍ଭାସଇ ଝଲମଲ ମୁକୁତା ସକାଳ ।