ମୁଠାଏ ସପନ
ମୁଠାଏ ସପନ
ମୁଠାଏ ସପନ, ଏଇ ମୋର ମୁଠାଏ ସପନ
ଚହଲା ପାଣିର ଗାରଟିଏ ପରି କେବେ ଲେଖି ହୋଇ ଲିଭିଯାଏ
ଏ ମନର ସାଧା କାଗଜରେ,
ଜାଣି ହୁଏ ନାହିଁ,
କିନ୍ତୁ, ଛାପ ଛାଡି ଚାଲିଯାଏ ରାତିର ସ୍ରୋତରେ,
ମଧୁବନର ମଧୁର ମହକ ହୋଇ କେବେ ମହକାଇ ଦିଏତ,
ଆଉ କେବେ ଜାଳିଦିଏ ଜନ୍ତ୍ରଣାର ଯଉଘର ସାଜି,
ରୂକ୍ଷ ଭାବନା ନେଇ ଉପହାସ କରୁଥାଏ କେବେ ଚିତାକର୍ଷକ ଦର୍ଶକ ଟିଏ ପରି
ଆଉ କେବେ ସୁନ୍ଦରୀ ତରୁଣୀ ସାଜି ପିଆସି ଅଧରେ ଦେଇଯାଏ ମିଠା ମିଠା ଚୁମ୍ବନ,
ମୁଠାଏ ସପନ, ଏଇ ମୋର ମୁଠାଏ ସପନ…
ହଜିଯାଏ ଯିଏ ରାତିର ଶେଯରେ
ଆଉ ବଞ୍ଚିବାକୁ ଆଶା ଦିଏ ଦିନ ଆଲୋକରେ
ଦୁଃଖର ପେଡି ଧରି ସିଏ ହସିବାକୁ ବାଧ୍ଯ କରେ
ଆଉ କେବେ ଖୁସିର ସୁଅ ନେଇ କାନ୍ଦିବାକୁ ଛାଡିଦିଏ
କେବେ ପବନର ଦୋଳିରେ ଝୁଲୁଥାଏ ‘ତ
ନିଳ ଜଳରାଶି ତରଙ୍ଗରେ କେବେ ଭାସୁଥାଏ
ନଥାଏ ତାର ସ୍ଥାନ କି ଠିକଣା
ନଥାଏ ତାର ଘର କି ଅଗଣା
ଆସିବାକୁ କେବେ ସେ ମାଗେନା ଅନୁମତି
ଆସେ ପ୍ରତ୍ଯକ ଜୀବନେ ସାଜି ରାତିର ସାଥି
ତାବିନା ଫିକା ଫିକା ଲାଗେ ଏ ଜୀବନ
ମୁଠାଏ ସପନ, ଏଇ ମୋର ମୁଠାଏ ସପନ !