ଛଳିଆ ରାଜାର ଚାଲ୍
ଛଳିଆ ରାଜାର ଚାଲ୍
କେଉଁ ରୂପେ ବୁଝିବି ପ୍ରଭୁ ତୁମକୁ?
ତୁମେ ତ ସର୍ବ ରୂପ -
ଅନାଦି, ଅଣାକାର, ଅନନ୍ତ, ନିରାକାର
ତୁମେ ତ ଅଚ୍ୟୁତ, ଅବ୍ୟକ୍ତ, ଅରୂପ।
କେଉଁ ଚାଲ୍ ବାକି ରଖିଛ ଯେ
ରାଜା ଚାଲ୍ କୁ ଶ୍ରେଷ୍ଠ ମାନିବି?
ତୁମଠୁଁ ଅଧିକ କାହାକୁ ଜଣା
ଚାଲ୍ ଚଳାଇବାର କଳା?
ତୁମେ ତ
ଛ(6) କୁ ନ(9) ଏବଂ ନ(9) କୁ 6(ଛ) କରି
ସମସ୍ତଙ୍କୁ କରିଛ ବାଟବଣା।
ହେ, ନଟଖଟ ନନ୍ଦ ଲାଲ୍!
ସବୁ "ରାଜା ଚାଲ୍" ତୁମ ହାତର ଖେଳ;
ସେ ଚାଲ୍ ର ଆଦି ଅନ୍ତ ଖୋଜିଲେ
ନିଅଣ୍ଟ ପଡିଯାଏ ତୁମେ ଗଢିଥିବା ବେଳ।
ହିଂସା, ଦ୍ବେଷ, ଯୁଦ୍ଧ, ରକ୍ତପାତ
ଏସବୁ ରାକ୍ଷସ ପ୍ରବୃତ୍ତି
କିନ୍ତୁ ତୁମେ ତ ଅର୍ଜୁନର ସଖା, ଗୁରୁ
ଯାହାଙ୍କୁ ଯୁଦ୍ଧ କରିବା ପାଇଁ
ତୁମେ ବତେଇ ଥିଲ ଯୁଦ୍ଧ ବୁଦ୍ଧି।।
ହଁ, ପାର୍ଥକ୍ଯ କେବଳ ଏତିକି
କର୍ତ୍ତବ୍ଯ ଆଉ ଅଧିକାରର -
"ମହାଭାରତ ଯୁଦ୍ଧ"
ଦୁର୍ଯ୍ୟୋଧନ ଅଧିକାର ମାନୁ ଥିବାବେଳେ
ଅର୍ଜୁନଙ୍କର ଆତ୍ମା କର୍ତ୍ତବ୍ଯ ସାବ୍ୟସ୍ତ କରେ।
ତୁମେ ତ ଚକ୍ର ଉହାଡରେ
ରାତିକୁ ଦିନ ଏବଂ ଦିନକୁ ରାତି କରିପାର,
ନହେଲେ ଅସ୍ତ୍ର ତ୍ଯାଗ
କାହିଁକି କରିଥାନ୍ତେ ସୂତ ପୁତ୍ର କର୍ଣ୍ଣ?
ହଁ, ଶଂଖନାଦ ସୁଭି ନ ଥିଲା -
କିନ୍ତୁ କଳା ଅନ୍ଧକାର ଘୋଟି ଯାଇଥିଲା -
ସେହି ଅନ୍ଧକାର ମୂହୁର୍ତ୍ତରେ କର୍ଣ୍ଣକୁ ମାରିବା ପାଇଁ
ତୁମେ ଅର୍ଜୁନକୁ ପ୍ରବର୍ତ୍ତେଇଥିଲ,
ଏବଂ ଅର୍ଜୁନ କର୍ଣ୍ଣକୁ ପ୍ରହାରିଥିଲା -
ତୁମର ଏହି ରାଜା ଚାଲ୍ ପାଇଁ
ବିଚରା ନିରସ୍ତ୍ର କର୍ଣ୍ଣ ପ୍ରାଣ ହାରିଦେଲା।
"ଅଶ୍ଵତ୍ଥାମା ହତ ନରବା ଗୁଞରେ"
ପିତା ଦ୍ରୋଣାଚାର୍ଯ୍ୟ କାନ୍ଦୁଛନ୍ତି ଆତୁରେ।
ହେ ପ୍ରଭୁ ଷୋହଳ କଳାର ଅଧିକାରି
କଳା କାହ୍ନୁ ଗୋଲକ ବିହାରୀ।
ଏ କି ନଥିଲା ତୁମ ଚାଲ୍?
ଭୀମ ହସ୍ତେ ମାରି "ଅଶ୍ଵତ୍ଥାମା ହାତୀ"
ଗୁରୁ ଦ୍ରୋଣଙ୍କୁ ପୁତ୍ର ହତ ନାମେ କଲ ବ୍ଯଥିତ;
ପୁତ୍ର ବିୟୋଗ ଦୁଃଖେ ଦ୍ରୋଣଙ୍କ ନିରବତା ପଣେ
ଧୃଷ୍ଟଦ୍ଯୁମ୍ନ ଦ୍ରୋଣଙ୍କୁ କଲା ନିଧନ।
ଏ କି ନଥିଲା ତୁମ ଚାଲ୍?
ହେ! ଛଳିଆ ରାଜା,
ମଥୁରା, ବୃନ୍ଦାବନ ବିହାରି ଲାଲ୍;
ସବୁ ହାରିଯାଆନ୍ତି ତୁମ ଆଗେ
ଯେବେ ତୁମେ ଚଳାଅ ତୁମ "ରାଜା ଚାଲ୍"!
