STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ପଖାଳ ଝୁରୁଛି ମାଟି ହାଣ୍ଡିକୁ

ପଖାଳ ଝୁରୁଛି ମାଟି ହାଣ୍ଡିକୁ

2 mins
165

 (ରମ୍ୟ ରଚନା କାନ୍ଦଣା ଲହରୀ)

 (ମାଟି ହାଣ୍ଡିଟିକୁ ପଖାଳ ଝୁରୁଛି

   ବାହୁନି କେତେ କାନ୍ଦୁଛି 

ଗଲା ଦିନ ସବୁ ମନରେ ପକାଇ

   ଆଖିରୁ ଲୁହ ଢାଳୁଛି।)

***********************

(ପଖାଳ ହାଣ୍ଡିରେ ପୂର୍ବେ ପର୍ଷୁଣୀ ବୁଡାଯାଏ ସେହି ପର୍ଷୁଣୀରେ ପଖାଳ

ବଢାଯାଏ। ଏବେ ପର୍ଷୁଣୀଟି ଅଦରକାରୀ ହୋଇଯାଇଛି। ହିସାବରେ ପର୍ଷୁଣୀ ହେଉଛି ପଖାଳର ଧରମଭାଇ। ତେଣୁ ପଖାଳ ବାହୁନୁଛି--)

ଆଁ ଡେଙ୍ଗା ତାଳଗଛ ଦଣ୍ଡାକୁ ଛାଇ

   ମୋ ଧରମ ଭାଇ 

ମୋତେ ଆଜି କେହି ଖୋଜନ୍ତି ନାହିଁ 

   ମୋ ଧରମ ଭାଇ।

ବୟସ ବଢିଲା ବୁଢି ମୁଁ ହେଲି 

    ମୋ ଧରମ ଭାଇ 

ଗୋଟିଏ ଜାଗାରେ ପଡିରହିଲି

  ମୋ ଧରମ ଭାଇ।

ରାଣ୍ଡ ହୋଇ ଦାଣ୍ଡ ଜଗିଛି ମୁହିଁ

    ମୋ ଧରମ ଭାଇ।

ଗେରସ୍ତ ମୋ ମାଟି ହାଣ୍ଡି ବି ନାହିଁ

    ମୋ ଧରମ ଭାଇ।

ଢ଼ିଙ୍କି ଚକି ଚୂଲୀ ଶିଳ କଢ଼େଇ 

ଥିଲେ ମୋର ଯାଆ ଦିଅର ଭାଇ।

ବଡି ଚୂରା କଞ୍ଚାଲଙ୍କା ଆଚାର 

ବାଇଗଣ ଭର୍ତ୍ତା ଶାଗ ସାକର 

ଶୁଖୁଆ ଛେଚା ଠାକେରା ଆମ୍ଵୁଲ

ଏମାନଙ୍କୁ ନେଇ ମୋ ପରିବାର

    ମୋ ଧରମ ଭାଇ।

ମରିହଜି ପୁଣି ଗଲେଣି କେତେ

ପଖାଳ ଗୁଣ୍ଡାଟା ଉଠୁନି ସେତେ 

ଆଜି ଚାଉଁମିନି ମ୍ୟାଗୀ ଓ ପିଜା

ସ‌ଉତୁଣୀ ହୋଇ ଦେଖନ୍ତି ମଜା

   ମୋ ଧରମ ଭାଇ।

ଜୋତା ମାଡ଼ି ପୁଣି ରୋଷେଇ ଘରେ

ଚିକେନ ମଟନ ଝୋଳ କରିଲେ 

ଓଢ଼ଣୀ ମୁଣ୍ଡରେ ଦେଲେତ ନାହିଁ 

ସିଷ୍ଟାଚାର ପୋଡ଼ି ଖାଇଲେ ସେହି

   ମୋ ଧରମ ଭାଇ।

ଶାଢୀ ପିନ୍ଧିବାରେ ଦୋଷ ଲାଗୁଛି

ନାଇଟି ଗଳେଇ କାମ ଚଳୁଛି 

ରଙ୍ଗ ଅଳତାକୁ ନାଇଲେ ନାହିଁ 

ଟିକିଲି ମେହେନ୍ଦୀ ପ୍ରେମରେ ବାଇ

  ମୋ ଧରମ ଭାଇ।

କାନ୍ଦଣା ଲହରୀ ଆଉ ଶୁଭୁନି 

ଝିଅ ବିଦା ବେଳେ ମୋଟେ କାନ୍ଦୁନି

ମୋବାଇଲ ଟିଭି ମୂଖ୍ୟ ହୋଇଲା

ପାଇଁଟି ସଣ୍ଠଣା ଖତ ଖାଇଲା

  ମୋ ଧରମ ଭାଇ।

ଦେଇ ପିଣ୍ଡି ଅପବିତ୍ର ହୋଇଲା 

ସ‌ଉଚ ସୁତୁରା ଚୂଲୀକି ଗଲା 

କେହି କାର ସେବା କରିଲେ ନାହିଁ

ପବିତ୍ର ଦୁଆରେ ସିଞ୍ଚିଲେ ନାହିଁ

   ମୋ ଧରମ ଭାଇ।

ବାଡି ଲେଉଟିଆ କାନିସିରିକି 

କଖାରୁ ଲତାଯେ ଯାଏ ମାଡିକି

ପିଢାରେ ଫୁଟେ ତ ପାଳୁଆ ଛତୁ

ସିଏ ସବୁ ଆଉ ଦେଖୁନି କିନ୍ତୁ

  ମୋ ଧରମ ଭାଇ।    

ଘରଲିପା ପୋଛା ଆଉ ହେଉନି 

ଆଣ ପାଣି ଚିତା ଘରେ ପଡୁନି 

ସାବିତିରୀ‌ ଓଷା କଲେ ସଭିଏଁ 

ଗେରସ୍ତ ସାଙ୍ଗରେ ଝଗଡ଼ା ହୁଏ

  ମୋ ଧରମ ଭାଇ।

ଗାଁ ଦାଣ୍ଡ ଆଉ ସେ ଭଳି ନାହିଁ

ତିସେଣିଆ ଘର ଦିଶୁନି କାହିଁ

ନାହିଁ ପୁଣି ମାଟି ନଦ‌ଉ କାନ୍ଥ

ନାହିଁ ଉଚ୍ଚ ପିଣ୍ଡା ଶାଳୁଆ ଖୁଣ୍ଟ

    ମୋ ଧରମ ଭାଇ।

ମାଳମାଳ ଚାଳ ଛପର କାହିଁ

ଗାଁ ଦାଣ୍ଡେ ଖଣି ପଡୁତ ନାହିଁ

ଦି'ହଳ ବଳଦ ଗଲେ ମୋ କାହିଁ

ଲଙ୍ଗଳ ଜୁଆଳୀ ଦେଖୁ ତ ନାହିଁ 

    ମୋ ଧରମ ଭାଇ।

ବାହାଘର ପୁଣି ପୂଜାପରବ

ବିଧିବିଧାନରେ କି ଅବା ଲାଭ 

ସେକାଳ ପଖାଳ ଆଉ ତ ନାହଁ 

କହନ୍ତି ସରବେ‌ ଛାତି ଫୁଲେଇ

  ମୋ ଧରମ ଭାଇ।

ପଖାଳ ବୁଢିର କାନ୍ଦଣା ଲହରୀ

  ଏଇମିତି ଚାଲୁଥିଲା 

ତା'ପାଟିରେ ଲୁଗା ଦେଇ ଏ ଅପର୍ତ୍ତି

  ତାକୁ ତୁନି କରିଦେଲା।



Rate this content
Log in

Similar oriya poem from Tragedy