ଖେଳଘର
ଖେଳଘର
ମୋତେ କହିଲେ ସମସ୍ତେ
ସମୟ ଉପରେ ଛାଡ଼ି ଦେବା ପାଇଁ
ସବୁ କିଛି
ସବୁ କ୍ଷତ ଭରିଯିବ
ରାତି ପରେ ସକାଳ ବି ନିଶ୍ଚୟ ଆସିବ
ଦୁଃଖ ପରେ ସୁଖ ବି ,
ଦିନେ ନା ଦିନେ ତୁମେ
ଫେରିବ ମୋ ପାଖକୁ
କିନ୍ତୁ
ମୁଁ ବା କେମିତି ଭୁଲିଯିବି
ତୁମେ ସିଏ ଥିଲ
ଯିଏ ମୋ ବିଶ୍ଵାସକୁ ଭାଙ୍ଗି
ଖୁବ୍ ଆରାମ୍ ରେ ହସି ପାରିଥିଲ
ମୋତେ ଅସୁବିଧାରେ ଦେଖି
ପଳାତକ ସାଜିଥିଲ
କେମିତି ଭୁଲିଯିବି ଥରେ କୁହ ତ
ତୁମେ କହିଥିବା ଅପଶବ୍ଦ ସବୁ
ମାନୁଛି ମୁଁ ନାରୀ
ଯୁଗ ଯୁଗରୁ ମୋ ଉପରେ ହିଁ ନ୍ୟସ୍ତ
ସବୁ ସମ୍ପର୍କର ଭାର
ସେଥିପାଇଁ ବୋଧେ
ଅତି ସହଜରେ ତୁମେ ଜାହିର୍ କରିପାର
ତୁମ ପୁରୁଷ ପଣିଆ
ତୁମ କଥାରେ , ବ୍ୟବହାରରେ
ତୁମ ଅଙ୍ଗଭଙ୍ଗୀରେ ;
ଯେମିତି କି ସମ୍ପର୍କ ସେତୁବନ୍ଧର
ଆରମ୍ଭ ଓ ଅନ୍ତ କେବଳ
ତୁମ ଦ୍ଵାରା ହିଁ ସମ୍ଭବ
ତୁମ ଆତ୍ମ ସମ୍ମାନର ହାନିରେ
ପ୍ରଳୟ ବି ଘଟାଇପାରିବ ତୁମେ
କିନ୍ତୁ
ସେ ଅଧିକାର ମୋର ବା କାହିଁ ,
ମୋ ପରି
ଭିତ୍ତିହୀନ ମୋ ଆତ୍ମ ମର୍ଯ୍ୟାଦା
ମୋ ସମ୍ମାନ ଆଉ ମୋ ଅସ୍ତିତ୍ବ
ଯଦି ତୁମେ ବୁଝିପାରୁନାହଁ
ତୁମ ଦାୟିତ୍ୱ ସବୁ
ମୁଁ ଆଜି ଦାମ୍ଭିକତାର ସହ
ଓହରି ଯାଉଛି ମୋର ସବୁ କର୍ତ୍ତବ୍ୟରୁ ,
ପାରିବ ଯଦି ମୋତେ
କରିଦେବ କ୍ଷମା
କିନ୍ତୁ ମୁଁ ସାଜିପାରିବି ନାହିଁ
ତୁମ ହାତର ଚାବିଦିଆ କଣ୍ଢେଇ
ସାରା ରାତି କାନ୍ଦି କାନ୍ଦି
ଏବେ ଅସମର୍ଥ ମୁଁ
ସକାଳେ ବୁଣିବାକୁ ହସର ପୁଲକ ,
ଭାଙ୍ଗିଲେ ଭାଙ୍ଗୁ ପଛେ
ସବୁ ମିଛ ସମ୍ପର୍କର ଡ଼ୋର
କିନ୍ତୁ ନିଜକୁ ତିଳ ତିଳ ଦଗ୍ଧ କରି
ମୁଁ କରିବାକୁ ଚାହେଁନା
ମୋ ଜୀବନକୁ ତୁମ ଖେଳଘର