ଶବ୍ଦସବୁ ସରିଗଲା ପରେ
ଶବ୍ଦସବୁ ସରିଗଲା ପରେ


ଆସିଲନି ଯେ,
ସେଦିନ ସଂଧ୍ୟାର ବେଳାଭୂମିରେ
କିରଣର ବାଲିପ୍ରାନ୍ତରରେ
କହିଥିଲ କେତେକଥା ।
ନିର୍ବୋଧ ପରି ସାଉଁଟି ଚାଲିଥିଲି
ବଡଛୋଟ ବାଲିରେଣୁରୁ ଶାମୁକା ପରି ।
କେଉଁ ଅଜଣା ଗାଢନିଦରେ
ଶୋଇଯାଇଥିଲା ମନ ।
ଯେମିତି ଆବାସ୍ତବ ନୀରବତା ରେ ।
ସାଉଁଟୁ ଥିବା ଶବ୍ଦର ଶାମୁକାକୁ
ସେହି ନିସ୍ତବ୍ଧ ବାଲିରେଣୁରୁ
ଅଧିକାର କରୁଥିଲି ସିନା ।
ହେଲେ ସମୁଦ୍ରର ପାଣି ପରି
କୂଳକୁ ଲଙ୍ଘି ଆସି ପୁଣି ଚାଲିଯାଉଥିଲା ।
ଅଶାନ୍ତ ଲହଡିଟା ଆସି
ଭସାଇ ନେଇଯାଉଥିଲା ବାଲିଘର ।
ମୋ ପରିଶ୍ରମ ସବୁ ବୃଥା ହୋଇଯାଉଥିଲା
ସେଥିପ୍ରତି ଧ୍ୟାନ ନଥିଲା
ନା ତୁମର ନା ମୋର ।
ପାଖରେ ବସିଥିଲ ତୁମ କଥା ସବୁ
ମନର ଝରକା କୁ ଠକ୍ ଠକ୍ କରି
ଚାଲିଯାଉଥିଲା ।
ତୁମ ଚାଲିଗଲ ,
ଜ୍ବଳନ୍ତା ନିଆଁର ଭାରକୁ ମୁଣ୍ଡରେ ରଖି
ତୁମେ ଚାଲିଗଲ ,
ଏକ ଘୂର୍ଣ୍ଣିଝଡକୁ ତମ ମନ ସିନ୍ଦୁକରେ ଚାପିରଖି ।
ଝଡିପଡିଛି ଗଛର ପତ୍ର ଗୁଡିକ
ପତ୍ରଝଡା ଗଛ ନଇଁ ପଡିଛି ।
ଝାଉଁଳି ପଡିଛି ଅସରନ୍ତି ଆଶାର ସ୍ବପ୍ନ।
ପାଣିର ଜୁଆରରେ ଶାମୁକା ଗୁଡିକ
ପଥରରେ ପିଟିହୋଇ
ଖଣ୍ଡ ଖଣ୍ଡ ହୋଇ ପଡିରହିଛି ।
>
ଏ ସ୍ବଳ୍ପ ଆୟୁଷର ମୁହୂର୍ତ୍ତକୁ
କ୍ଷଣ କ୍ଷଣ କରି ବଞ୍ଚିବାକୁ ଚାହେଁ ।
ଭୁଲିବାକୁ ଚାହେଁ ଗତକାଲିର
ଝାଉଁଳି ପଡିଥିବା ମୁହୂର୍ତ୍ତ ମାନଙ୍କୁ ।
ଜୀବନର ବାଲିପ୍ରାନ୍ତରରେ
ଚାହୁଁନି ଆଉ ପାଣିର ଜୁଆରରେ
ହଜିଯାଇଥିବା ଶବ୍ଦର ଶାମୁକା ମାନଙ୍କୁ ।
ଭଟ୍ଟା ପଡିଯାଇଛି ପ୍ରଣୟର ସମ୍ପର୍କ ।
ବାଲିର ରେଣୁରେ ମିଶିଯାଇଛି,
ତୁମର ସବୁ ସ୍ମୃତି ।
ଫେରିଥିଲ,
ପୁଣି ପ୍ରଶ୍ନ ମଧ୍ୟ କରିଥିଲ ।
ଜ୍ୟୈଷ୍ଠ ର ପବନଟା ପୁଣି ମନେପକାଇ ଦେଉଥିଲା,
ଖୋଜିବା ପାଇଁ
ଫେରିବା ପାଇଁ ।
ଦେଇପାରିନି କିଛି
ଫେରେଇ ଆଣିପାରିଲିନି ସେ ଦିନକୁ ।
ଖୋଜିପାରିଲିନି ସେ ଶବ୍ଦର ଶାମୁକା କୁ ।
କାହିଁକି ନା ମୋ ପାଖରେ ଶବ୍ଦ ଆଉ ନାହିଁ ।
ହଜେଇଦେଇଛି ,
କେଉଁ ନିଘଞ୍ଚ କାନନରେ ।
ହଜେଇଦେଇଛି ,
କେଉଁ ଥଳହୀନ ଲହଡିରେ ।
ଫେରିଥିଲ, ମୁଁ ଆସିଲି ,
ଶବ୍ଦସବୁ ସରିଗଲା ପରେ ମଧ୍ୟ ।
ମୁଁ ଅପେକ୍ଷାରତ,
ଶବ୍ଦସବୁ ସରିଗଲା ପରେ ମଧ୍ୟ ।
ହାତପାତି ମାଗୁଛି,
ସେ ହଜିଯାଇଥିବା ଶବ୍ଦର ଶାମୁକା କୁ ,
ଶବ୍ଦସବୁ ସରିଗଲା ପରେ ମଧ୍ୟ ।
ଉତ୍ତରରେ କିଛି ହିଁ
ନଥିଲା ମୋ ପାଖେ ,
ଶବ୍ଦସବୁ ସରିଗଲା ପରେ....