ମୋତେ ଚିହ୍ନି ପାରିବ ତ ?
ମୋତେ ଚିହ୍ନି ପାରିବ ତ ?
ଶହ ଶହ ଆଲୋକ ମଝିରେ ଥାଇ
ଅନ୍ଧାରରେ ଥିବା ମଣିଷକୁ ଚିହ୍ନି ପାରିବ ତ ?
ସେତେବେଳେ
ମୁଁ ଥିବି ଅଗଣିତ ଲୋକଙ୍କ ଭିଡ଼ ଭିତରେ
ଯେଉଁ ଭିଡ଼ ଭିତରୁ ତୁମ ନାମ କମ୍ପି ଉଠୁଥିବ
ସବୁ ଧ୍ୱନି ପ୍ରତିଧ୍ୱନିକୁ ପଛକୁ ଠେଲି
ସେହି ଭିଡ଼ ଭିତରେ କାହାର ଅଲକ୍ଷ୍ୟରେ ଥିବା ଏକ
ସାମାନ୍ୟ ଜୀବନକୁ ତମେ କ'ଣ ବାଛି ପାରିବ ?
ଜାଣ, ଭବିଷ୍ୟତ କହିଲେ ମୋ ସାମ୍ନାରେ
କେବଳ ଆଖି ପାଉ ନ ଥିବା
ଅନ୍ତହୀନ ଦିଗବଳୟ ।
ଏ ଆୟତ୍ତ ହୀନ ସମୟଟା କଥା ବା କିଏ ଜାଣେ
କାହାକୁ କୋଉ ଅଜଣା କୋଣରେ
ନେଇ ଫୋପାଡ଼ି ଦେବ ତ
କାହାକୁ ନେଇ
ଲକ୍ଷ ଲକ୍ଷ ସଫଳତାର ପାହାଡ଼ ଉପରେ
ଛିଡ଼ା କରେଇ ଦେବ l
ଆଉ ସେତେବେଳେ ମୋ ସ୍ମୃତି ସବୁ ବି
ତୁମ ଅତୀତର ସେଇ ବନ୍ଦ କୋଠରୀରେ
ବନ୍ଦ ପଡ଼ି ସାରିଥିବ ।
କୁହ ସେତେବେଳେ ତମେ
ଲକ୍ଷ ଲକ୍ଷ ଆଲୋକ ଭିତରେ ଛିଡ଼ା ହୋଇ
ଅନ୍ଧାରରେ ଥିବା ଏ ଜୀବନଟିକୁ ଚିହ୍ନି ପାରିବ ତ ?
ନ ଚିହ୍ନିଲେ ନାଇଁ
ଅଗଣିତ ଆଲୋକ ମଧ୍ୟରେ ଛିଡ଼ା ହୋଇ
ପଛକୁ ଥିବା ଅନ୍ଧାରକୁ ଥରେ ମାତ୍ର ଚାହିଁଦେବ
ଦେଖିବ ପାଷାଣୀଟେ ପରି
ଏକ ଲୟରେ ତୁମ ଅତର୍କିତ ଦୃଷ୍ଟିକୁ ହିଁ
ଚାହିଁରହିଥିବି ମୁଁ ।