ତତେ ମା' ମୁଁ ମନେ ପକାଉଛି
ତତେ ମା' ମୁଁ ମନେ ପକାଉଛି


ହରଦମ ଦୁଇ ଆଖି କୋଣେ କାଇଁ
ଲୁହ ଟୋପା ଟୋପା ଜକଉଚି,
ଯେତେ ବୁଝେଇଲେ ମନ ମୋ ବୁଝୁନି
ତତେ ମା ମୁଁ ମନେ ପକଉଛି I
ବାର ବାର ଡାଁ ଆଖିପତା କିଏ
ତଳକୁ ଉପର ନଚଉଛି,
ଗରମ ଗରମ ତତଲା ନିଶ୍ଵାସ
ଛାତି ଭିତରଟା ତତଉଛି I
ଝାଳ ବିନ୍ଦୁ ବିନ୍ଦୁ ଝରି ଝରି ଯାଇ
ଦେହସାରା ଖାଲି ସଂତଉଛି,
ଚାଲିଲା ବେଳକୁ ପାଦ ଦୁଇଟି ମୋ
ଏପଟ ସେପଟ ପକଉଛି I
ସକାଳର ମନ୍ଦ ସମୀର ମୋ ମନ
ଫରଫର କିଆଁ ଉଡାଉଛି,
ମିଠା ମିଠା ମଲ୍ଲି ବାସନା କାହିଁକି
ପ୍ରାଣରେ ପୁଲକ ଜଗାଉଛି I
>
ନୀଳ ଅକାଶର ପକ୍ଷୀର କାକଳି
କାନରେ ମୋ ଆସି ଗୁଞ୍ଜୁଅଛି,
ଆଲୁରୁ ବାଲୁରୁ ସୁଖ ଦୁଃଖ କେତେ
ଭାବନାରେ ମନ ମଜଉଛି I
ପୂରୁବ ଆକାଶେ ବାଳ ସୂରୁଜର
କିରଣ ଆଶାକୁ ଜଗାଉଛି,
ଭସା ଭସା ମେଘ ସାଥେକି ମା ଲୋ
ସନ୍ଦେଶ କି କିଛି ଆସୁଅଛି ।
ହାଲକା ହାଲକା ଦଲକା ପବନ
ମନରେ ଶରଧା ବଢ଼ଉଛି,
ପରସ୍ତ ପରସ୍ତ ସ୍ମୃତିର ପଟଳ
ଫୁଲେଇ ପଣିଆ ଉଖାରୁଛି I
ତୋ କୋଳେ ଟିକେ ମୁଣ୍ଡ ରଖି ଗେଲ
ହେବାକୁ ମୋ ମନ ତରସୁଛି,
ଫୁଲି ଫୁଲି କାନ୍ଦି ଗୋଡ ଛାଟି ଛାଟି
ଅଝଟକୁ ମନ ବଳଉଛି I