ରଜ ପଡିଅଛି ଫିକା
ରଜ ପଡିଅଛି ଫିକା


ରଜ ପଡ଼ିଅଛି ଫିକା
ଓଠର ରଞ୍ଜନୀ ଲୁଚିଯାଇଅଛି
ସୁରକ୍ଷା ମାଆସ୍କ୍ ତଳେ,
ମେହେନ୍ଦୀର ଦାଗ ଲିଭିଯାଇଅଛି
ହାତ ଧୋଉଥିବା ବେଳେ ;
କେମିତି ହେବି ମୁଁ ସଜ,
କରୋନା ଭୁତାଣୁ ଦାଉ ସାଧୁଅଛି
ଫିକା ପଡିଅଛି ରଜ।
ବାସୁଅଛି ଖାଲି ସାନିଟାଇଜର୍
ଗଜରା ମହକ କାହିଁ?
ଟିଭି ପରଦାରେ ସଚେତନ ଗୀତି
ରଜ ଗୀତ ବାଜୁନାହିଁ ;
ପାନ ଖିଲ କଥା ଛାଡ଼,
ରଜ ପାଳିବାକୁ ବାହାରକୁ ଗଲେ
ପୁଲିସ ଦେଉଛି ମାଡ।
ସାଙ୍ଗ ସାଥି ସବୁ ମନା କରିଦେଲେ
ଝୁଲିବେନି ରଜ ଦୋଳି,
ଗାଆଁ ବରଗଛ ଲୁହ ଝରାଉଛି
ପୁରୁଣା କଥାକୁ ଭାଳି ;
କେତେ ଲାଗୁଥିଲା ନାଟ,
କିଏ ଝୁଲୁଥିଲା କିଏ ଗାଉଥିଲା
ରଜ ଦୋଳି କଟ ମଟ।
ହଉ ହେଲା ଆଉ କରିବା କଅଣ
ଘରେ ମନେଇବା ରଜ,
ସମାଜ ଦୂରତା ପାଳନ କରିବା
ରହି ଦୂରେ ଦୁଇ ଗଜ ;
ମାନିବା ସବୁ ନିୟମ ,
ଜୀବନ ରହିଲେ ଆର ବରଷକୁ
ରଜ ହେବ ଧୂମଧାମ I