କଣ୍ଢେଇବିକା ଝିଅ
କଣ୍ଢେଇବିକା ଝିଅ


ଭାବିବା ପାଇଁ ବେଳ ନାଇଁ
କିଏ କଣ କହିଲା
ଭଳିକିଭଳି କଣ୍ଢେଇ ଛଳରେ
କିଏ ମାଗିଲା ଯୌବନ , ଆକ୍ଷିଠାରରେ !
ବସଷ୍ଟାଣ୍ଡ, ପ୍ଲାଟଫର୍ମ
ଦୋକାନବଜାର, ସାହିଗଳି
ପାର୍କ ଅବା ସର୍କସର ଭିଡରେ
ବୁଲୁଥାଏ କଣ୍ଢେଇବିକା ଝିଅ ।
ବାଉଁଶ ପାଛିଆରେଭରିଥାଏ
କଣ୍ଢେଇ : ହାତୀ, ମାଙ୍କଡ଼, ଗଣେଶ, ଶିବ
ସୁନ୍ଦରୀଝିଅ, ସିଟିବୟ
ଆହୁରି କେତେ କଣ ଓ କହୁଥାଏ
'କଣ୍ଢେଇ ନିଅ, କଣ୍ଢେଇ'
ଯୋଡ଼ା ପନ୍ଦରଟଙ୍କା
କମରେ କମ ବାରଟଙ୍କା
ତା'ଠୁ ଆଉ ଜମା କମ ନୁହେଁ
କଣ୍ଢେଇ କିଣିବାକୁ କା'ର ତର ଥାଏ
ଜୀବନ୍ତ କଣ୍ଢେଇ ଥାଉଥାଉ
ମାଟି କଣ୍ଢେଇ ? ଫୁ
ଏବେ ସହର ଗଳିକନ୍ଦିରେ
ଜୀଅନ୍ତା କଣ୍ଢେଇମାନେ ବିକୁଥାନ୍ତି ନିଜକୁ
ଆଉ ପାଛିଆରେ ମାଟିକଣ୍ଢେଇ ନେଇ
କଣ୍ଢେଇବିକା ଝିଅ ହନ୍ତସନ୍ତ ଜୀବନ ସଂଗ୍ରାମରେ ।
କଣ୍ଢେଇବିକା ଝିଅ
ବେଶ ବିକିପାରନ୍ତା ନିଜକୁ
ତାକୁ କିଣିବାକୁ ଗରାଖଙ୍କ ଭିଡ଼
ସାତସିଆଁ ଛୋଟପଣତରେ ବନ୍ଦ ରଖେ
ଇଜ୍ଜତ, ସନ୍ତର୍ପଣରେ
କଣ୍ଢେଇବିକା ଝିଅ
କଣ୍ଢେଇ ବିକୁ ବିକୁ ସେ ନିଜେ ଯେମିତି
ପାଲଟି ନ ଯାଏ , କଣ୍ଢେଇଟିଏ