ତମ ଗାଁ
ତମ ଗାଁ
ଚାରିଆଡେ ପାହାଡ଼, ପାହାଡ଼ ଆଉ ପାହାଡ଼
ଦୁର୍ଗଭଳି ଠିଆ ହେଇଚି ।
ଆସ ,ଆମେ ସବୁ ଉଡିଯିବା
ଚଢ଼େଇର ପରହେଇ, ପାହାଡ଼ ଉପରକୁ
ଯୋଉଠି ସୂର୍ଯ୍ୟ ବି
ବିଶ୍ରାମ ନେଉଥାଏ ସାରାରାତି !
ଦୁଃଖଭଳି ନିର୍ବିକାର ପାହାଡ଼,
ଲମ୍ବାଲମ୍ବା ଶାଳଗଛ , ମହୁଲିଢ଼ୋକରେ
ପହଁରୁଥାଏ ଜୀବନ
ଜହ୍ନଟା କେମିତି ହସୁଥାଏ
ଫିକାଳିଆ ହସ ।
ତମ ଗାଁ ଜହ୍ନରାତି :
ଦୁଃଖ ବାଣ୍ଟେ ମୋ ଛାତିରେ
ବସଭର୍ତି ପ୍ରବାସ ମୁହାଁ ଲୋକ ଅବା
ଅସ୍ଥାୟୀ ଚାକିରୀ ହରେଇଥିବା
ଗୋଟେ ଖବରକାଗଜ ବିକାଳି ଯେମିତି ।
ତଥାପି ସ୍ବପ୍ନଟେ ଭାସିଯାଏ ହୁଲିଡଙ୍ଗ।ରେ
ଆନ୍ଦୋଳିତ ମନ
ନିଜଭିତରେ ବୁଣେ ବୀଜଟିଏ ଓ
ପାଗଳ ହୁଏ ଅଙ୍କୁରୋଦଗମ ନିଶାରେ !
କିଏ ଗୋଟେ ନିର୍ବିକାର, ବାତୁଳ ଚିତ୍ରକର
ହାତରେ ତା ତୂଳୀ,
ପ୍ରକୃତିର ରଙ୍ଗଢାଳି ଆଙ୍କିଦିଏ ନକ୍ସା:
ତମ ଗାଁ'ର !
ଅଥଚ ଖୋଜିଲାବେଳକୁ ଠିକଣା
ସିଏ ନିରୁଦ୍ଦିଷ୍ଟ : କୋଉକାଳୁ !!