ଦାଦନ
ଦାଦନ


କୁଆ ବି କା' କରେନି ଏଠି,
ପ୍ରବାସରେ !
ମୋବାଇଲ ଆଲାର୍ମରେ ଆରମ୍ଭହୁଏ ଦିନ
ଅସଜଡ଼ା ମନ ପଡ଼ିରହେ ଶେଯରେ,
ଦେହ ସହେ କଷଣ :କର୍ମର
ଆସନ୍ତାକାଲିର ସ୍ୱପ୍ନରେ !
ଗୋଟେ ନିଶାରେ ବଢିଚାଲେ କାମ ।
କେବେ କେବେ,ଦଣ୍ଡେ କ୍ଷଣେ
ଅଟକିଯାଏ, ହାତ
ଅତୀତ ଦୋଳି ଖେଳେ
ଗାଁ, ସ୍ତ୍ରୀ ପିଲା ବାପା ବୋଉ
ମନେପଡେ ଅପା ,
ଟିକେ ମନଭରି ଦେଖିବା ବେଳକୁ
ମାଲିକର ନାଲିଆଖି ଡରାଏ ।
ଲୋଡ଼ା ଥିଲା କି ଦି' ଟଙ୍କିଆ ଚାଉଳ?
ଛତା ଓ ମୋବାଇଲ ,
ହରିଶ୍ଚନ୍ଦ୍ର ଯୋଜନା ଅବା
ତମ ମାଗଣା ଗ୍ୟାସହାଣ୍ଡି !
ଜମିକୁ ପାଣି ଦିଅ, ସରକାର
ଦିଅ ନିର୍ଭେଜାଲ ବିହନ, ସାର
ପୋକମରା ଔଷଧ
ଦିଅ ସାହସ ,
ମୁଁ ଲଢିଯିବି ଘାତ ପ୍ରତିଘାତରେ
ମୋ ହାତର କୁହୁକ ଛୁଆଁ
ସୁନା ଫଳେଇବ ମାଟିରେ !
କାରଖାନା ଭଳିକିଭଳି ବସାଅ
ତାକତ ଅଛି ଓଡ଼ିଆ ପୁଅର
ମୁଁ ଖଟିବି ରକ୍ତକୁ ପାଣିକରି,
ଏଇଠି ଓଡିଶା ମାଟିରେ ।
କେତେ ଆଉ ସହନ୍ତି
ଖୁଁ ଖୁଁ କାଶ ବାପାର ,
ଭରସା ପାଉ ନ ଥିବା ଅପା'ର ଚାହାଣୀ
ମା' ଆକ୍ଷିରେ ସଙ୍କୁଚିତ ହେଉଥିବା ସ୍ୱପ୍ନ
ଆଉ କେତେ ବୋଝ ବୋହିଥାନ୍ତି?
ସ୍ତ୍ରୀ ଓ ପିଲାଙ୍କ ଆଗରେ: 'ବିଫଳ ମଣିଷର' ?
କିଛି ବି ହେଲାନି !
ମାଟିତଳେ ପ୍ରାଚୁର୍ଯ୍ୟ, ଉପରେ ଭୋକ
ସମୁଦ୍ରରେ ରତ୍ନ, କୂଳରେ ବେସାହାରା ମଣିଷ
ମଠ, ମନ୍ଦିରରେ ସାଇତା ସଂସ୍କୃତି
ଚାରିପାଖେ ଭିକାରୀଙ୍କ ଭିଡ଼ ।
ନା ଚାଷକୁ ପାଣି , ନା ହାତକୁ କାମ
ମୋ ଦେଇ ହେଲାନି ଜୟଜୟକାର
ସିଂହାସନର ,
ମୋ ଦେଇ ହେଲାନି ଗମାତ,
ଦେଶୀ ସହ ତାସମାଡ଼ର ।
କିଏ ଗୋଟେ ଡାକିଲା ମେଳିରୁ,
ଆ' ବାହାରିଯିବା
ଦଲାଲ ବଢ଼େଇଦେଲା କିଛି ଟଙ୍କା,
ସଜ ହେଲା ଟ୍ରଙ୍କପେଢି ଅସହଜ ମନରେ
ମୁହଁରେ ମିଛଖୁସି ଫୁଟେଇ ,
ବାହାରିବାକୁ ହେଲା ଟ୍ରକ ଡାଲାରେ !