ମେଘ
ମେଘ
ଆସ !
ମୋ ଦୁଃଖର ପାହାଚ ଡେଇଁ
ମନ ଗହୀରରେ
ସେଇ ଯେ ସାଇତା ସ୍ମୃତି
ଖୋଲିଦେଖ ,
ତମ ସବୁ ଅଭିମାନ, ପ୍ରତିଶୃତି
ଭଲପାଇବାର ନିବିଡ଼ ଆଶ୍ଲେଷ
କେମିତି ଝୁଲିଛି , ମେଘ ହେଇ ଆକାଶରେ !
ବ୍ୟବଚ୍ଛେଦ କରିବ ତ ସମୟର
ଝରି ଆସିବ ଲହୁ, ଲୁହ ସହ
ମେଘ ଭର୍ତ୍ତି ଆକାଶରେ ଦେଖିହବ
ମନପବନ ଘୋଡା
ଶୁଣ୍ଢଉଠା ହାତୀ, ଉଡିଯାଉଥିବା
ଚିତ୍ରିତ ଚଢେଇ , ଜାହାଜ
ଏମିତିକି ଅସହଜ ମୁହଁ ପ୍ରେମିକର !
ଯେତେସବୁ ଚହଲାପାଣିର ଛାଇ ,
ଫେରିଯାଇଥିବା ସମୟ
ତମେମୟ !
ମୁଁ ଓ ମୋ ମେଘମନସ୍କ ଚେତନା
ତଥାପି ଖୋଜି ବୁଲେ
ପକ୍ଷୀରାଜ ଘୋଡା , ତମ ଅନ୍ୱେଷଣରେ !
ଥରେ ଆସ ।
ବର୍ଷାରେ ରୂପାନ୍ତରିତ ହେଇ,
ଛୁଇଁ ଯାଅ ତାଳୁରୁ ତଳିପା' ଯାଏ
ସମଗ୍ର ସତ୍ତାରେ ,
ପ୍ରଶସ୍ତ କର
ମୋ ଭିତରେ ସୁପ୍ତଥିବା ବିଶ୍ୱାସକୁ
ଦିଅ ଜୀବନ୍ୟାସ !!