ସୁମି:୧୯୯୪
ସୁମି:୧୯୯୪
(୧)
କଳିଙ୍ଗା ଘାଟି ଓ ମୁଜାଗଡ଼ ମଝିରେ
ସୁମି ରହେ , ସୁମି ପଧାନ ,
ଦର୍ପଙ୍ଗିଆ ଗାଁରେ ।
ଭଲ ରାସ୍ତା ଖଣ୍ଡେ ନାଇଁ ,
ଦଦରାଲୁଣ୍ଡାରୁ ଚାଲିକି ଯାଇହେବ,
ଯାଇହେବ ସାଇକେଲରେ ,
କିଛି ବାଟ ସିଟରେ ତ
ଆଉ କିଛି ବାଟ ଠେଲିଠେଲି
ପହଂଚି ପାରିବ ସୁମିର ଗାଁରେ ।
ଏଠି କେହି ଜାଣନ୍ତିନି,
କେମିତି ଅଙ୍କାଯାଏ ପ୍ରଗତିର ମାନଚିତ୍ର
ପରିସଂଖ୍ୟାନର ଖେଳ,
ସୁରୁଜ ଉଇଁଲେ ଭୋକ ଖୋଜେ ଜଙ୍ଗଲ,
ସୁରୁଜ ନଇଁଲେ ରଘୁସାଉର ପିଣ୍ଡାରେ
ଦରଜ ମିଟାଏ:ଚାଉଳିମହୁଲ ।
ସୁମି ବଞ୍ଚେ ନିତି ।
ବଞ୍ଚନ୍ତି ବି ସୁମିର ସଖୀ, ସାଙ୍ଗସାଥି
ଛୋଟ ପଣତ କୁଆଡକୁ ପାଏନି
ଆଖିରେ ଆଖିରେ ମରିଯାଏ ସ୍ୱପ୍ନ
ଜୀବନ ସଂଗ୍ରାମରେ
ଜଙ୍ଗଲ, କ୍ଷେତବାଡ଼
ଆଉ କେବେକେବେ ଦିନ ମଜୁରୀରେ ।
ପାଠପଢା ନାଁ ରେ ଡାକେ:
କାମନାର ଆଖି ସ୍କୁଲ ମାଷ୍ଟ୍ରର
ସହାୟତା ନାଁରେ ସାହୁକାର
ରାସନ ନାଁରେ ,
କାମନାର ବାଘ :ପଂଚାୟତ ସେକ୍ରେଟାରୀର ।
କେହି କିଛି ବୁଝନ୍ତିନି
କେହି କିଛି ଶୁଣନ୍ତିନି
ଗୋଟେ ଛଳନା ଲତା ହେଇ ବଢେ
ଓ ଆଶ୍ରା ମାଗେ ।
ସୁମି ସବୁ ବୁଝେ ,
ବୁଝାଏ ନିଜକୁ , ଅସଂଯତ ମନକୁ ।
ମାଗେ ଅମେଇସା, ରାତିକୁ
ମାଗେ ଦମ୍ଭ ,ସୂର୍ଯ୍ୟକୁ
ଓ କଠୋରତା ମାଗେ ପାହାଡ଼କୁ ।
କେବେ କେବେ ସୁମିକୁ ଛୁଇଁଯାଏ ବର୍ଷା ତ,
ଇର୍ଷା କରେ ସାହୁକାରର ପୁଅ
ବଢୁଥିବା ସମୟ କଡ଼ ଲେଉଟାଏ ତ
ଇର୍ଷା କରେ କଣ୍ଟ୍ରାକ୍ଟର ।
ସୁମି ଆନମନା ହୁଏ , ଗୀତ ବୋଲେ
ନ ହାରିବାପଣରେ , କୋଉ ଅନାଗତ ରାଜପୁତ୍ରର ଅପେକ୍ଷାରେ
ଜଳେ ଓ ଜଳାଏ !
(୨)
ସୁମି : ଜଳେ ଓ ଜଳାଏ !
ଋତୁ ବଦଳେ, ବଦଳେ ଗାଁର ଚିତ୍ରପଟ ।
ବଦଳେ ବି ସୁମି ,
ଋତୁ ଛୁଆଁରେ, ଦେହର ଭୂଗୋଳ
ବେଶ ବାରିହୁଏ ।
କାମନାର ନିଆଁ
ବିଛାଡି ହେଇପଡ଼େ, ଗାଁ ଦାଣ୍ଡରେ
ଜଙ୍ଗଲରେ, ପୋଖରୀ ହୁଡାରେ ।
କାଶିଆ ପଧାନ ଆକଟେ ସୁମିକୁ
ଆକଟେ ବି ପ୍ରିୟ ସଖୀ,
ପବନ ବହିଆଣେ ଇର୍ଷା ଓ ଷଡଯନ୍ତ୍ର
ସୁମି ଭାବେ : ଏମିତି କଣ ଥାଏ ଦେହରେ,
ଏମିତି କଣ ଥାଏ ରୂପରେ ?
ସବୁ କିଛି ଲୁଟିନିଏ କଟକଣା,
ଗୋଡେ ଗୋଡେ ଜଗିବସେ ମା' ,
ଆଉ ଜଗିବସେ ,ବାପାର ସତର୍କ ଆକ୍ଷି ।
ଥଟାମଜା, ସାଙ୍ଗସାଥି
ପିଜୁଳିଚୋରି ଓ ମିଛ ଅଭିମାନ
ସବୁ ଏବେ ନଜରବନ୍ଦୀରେ,
ସ୍କୁଲ ଯିବାଆସିବା ବେଳେ
କଟାକ୍ଷ, ଇଙ୍ଗିତ , ଆଉ ଶାଣୀତ ଚାହାଣି
ସୁମି ବୁଝେ : କିଏ କଣ ଖୋଜେ
ତା ' ଭିତରେ ।
ଅଶିକ୍ଷିତ ହେଲେ ବି
ଗରିବ ଝିଅର ସ୍ୱପ୍ନବୁଝେ,
ବାପା ।
ଜାଗ୍ରତରେ ରହ, କହେ ।
ମା' ବୁଝାଏ , ଆଶ୍ୱାସନା ଓ କଟକଣା ଭିତରେ ଦେହ ଓ ଦେହଳିର କଥା ।
ଛାଇ ଲେଉଟାଏ ତାଳଗଛ,
ସମୟ ,ବାଟ କଢାଇନିଏ
ବେଶ ପରିଷ୍କାର ହୁଏ ଝରଣ।ର ପାଣି
ଆଉ ମନ : ସୁମିର ।
ସୁମି ଆନମନା ହୁଏ , ଗୀତ ବୋଲେ
ନ ହାରିବାପଣରେ,
କୋଉ ଅନାଗତ ରାଜପୁତ୍ରର ଅପେକ୍ଷାରେ
ଜଳେ ଓ ଜଳାଏ !!
(୩)
ସୁମି : ଜଳେ ଓ ଜଳାଏ !
ସୁମି : ଅପେକ୍ଷାରେ ରହେ
ପକ୍ଷୀରାଜ ଘୋଡା ଓ ରଜାପୁଅର
ସୁମି : ଅପେକ୍ଷାରେ ରଖେ ,
ସାହୁକାରର ପୁଅ, କଣ୍ଟ୍ରାକ୍ଟର ଓ ସ୍କୁଲ ମାଷ୍ଟର ।
ସୁମି ଫିଟିପଡ଼େ, ଭଲ ପଢାରେ
ସୁମି ଗୀତ ବୋଲେ , ଚିତ୍ର ଅ।ଙ୍କେ
ଗରିବ ଗାଁର ଗରିବ ଝିଅ ସୁମି
ସୋପାନ ପରେ ସୋପାନ ଡେଇଁ
କଲେଜ ବି ପାର ହୁଏ , ପହଞ୍ଚେ ସହରେ ।
ଗାଁରେ ପଡ଼ିରହେ ଦୁଃଖ ,
ମନେ ପଡୁଥିବା ପଛକଥାକୁ
ପିଠି କରି, ସମୟ ସହ ଲାଉ ଖେଳେ ସୁମି
ସହରରେ ଚାଲାକ ସମୟ
ଘଡିକୁ ଘଡି ବଦଳେ, ବଦଳେ ବି ସୁମି
ଶିଢ଼ି ଚଢେ, ଦୁନିଆଁ ସହ ତାଳ ଦେଇ
ଗୋଟିଏ କାନ୍ଧରୁ ଆଉ ଗୋଟେ କାନ୍ଧକୁ ।
ପଡି ରହେ ଗାଁ, ଘର,
ମା' , ବାପା ବି ।
ଝାପସା ଦିଶେ ମୁହଁ, ପ୍ରିୟ ସହୀର
ଘୋଡା ଆଉ ଚାବୁକ ନିଶାରେ
ପାକଳ ହୁଏ ରାତି , ରତିରେ
ରାଜଧାନୀ ଖୋଜେ
ମତୁଆଲା ଓଠ, ସୁମିର
ଉତୁରିପଡ଼େ ନିଶା ,
ଖସିଗଲା ପରେ ସିହଂ।ସନ ହାତରୁ,
ନିଜକୁ ଚିହ୍ନିବାରେ ଡର ଲାଗେ,
ସୁମି ସାରାଦିନ ଖୋଜେ ନିଜକୁ
ଡରି ଡରି ଦେଖେ ଆଇନା
ରଙ୍ଗ ଛଡା ସମୟ ହସେ ,
କଡ଼ ଲେଉଟାଏ ପବନ ,ଋତୁ
ଗାଁ, ସାଙ୍ଗ ସହୀ, ବାପା ଓ ମା' ।
ଭାବେ ବେଶ ହେଲା ,
ଅନୁଭୂତି ।
ସମୟକୁ ବନ୍ଦୀ କରିବା ମିଛ,
ଶିଢ଼ି ସବୁ ସରିଯିବାପରେ
ମିଳିପାରେ କୋଠରୀ ଅବା ଶୂନ୍ୟତା,
ମୂର୍ଖତା: ନିଜକୁ ଖୋଲି ଦେବା ସବୁଠି
ସୁମି ଏବେ ଭଲ ଅଛି ।
ଗାଁ ସ୍କୁଲରେ ଟିଚର,
ବାପା, ମା , ସାଙ୍ଗ ସହୀ ମେଳରେ ,
ନା ଅଛି: ଜଳିବାର କି ଜଳେଇବାର
ନା ଅଛି ଅପେକ୍ଷା :କୋଉ ରାଜପୁତ୍ରର