ବାପା
ବାପା
ତମେ ସବୁକାଳେ ଉଦାର, ନିର୍ବିକାର
ସବୁ ଦୋଷ ଦୁର୍ବଳତାକୁ କ୍ଷମା କରି
ପାଲଟିଯାଅ ସହଚର
ମୋ ପାଇଁ ଅବତାର !
ବୟସ ତ ଆପେକ୍ଷିକ !
କିଏ ଜାଣେ ଚିରସ୍ରୋତା ମହାକାଳ ଗତି
କାହାକୁ କରିବ ଶିଶୁ, ଯୁବକ ବା ବୃଦ୍ଧ
ସବୁକିଛି ଘଟଣା ସାପେକ୍ଷ !
କଖାରୁ ଡଙ୍କ ଭଳି ବୟସ
ଅଜଗର ଭଳି ଜୀବନର ବୋଝ
ସବୁ ଦୁଃଖକୁ ପଛ କରି
ଓଠରେ ମାଖିଦିଅ ହସ ତୃପ୍ତିର ।
ଏବେ ବି ଅଛି : ଭାଗବତ ଟୁଙ୍ଗୀଘର
କୋଉଠି ନା କୋଉଠି ,
ଚାଲିଛି ହରିନାମ ସଂକୀର୍ତ୍ତନ,
ସଜ୍ଜନ ବେଭାର !
ତମ ଆଖିରେ ଆଖିଏ ସ୍ୱପ୍ନ
ଛାତ ଉପରର ପାକଳ ଖରା ଭଳି
ଏବେ ବି ଉଜ୍ଜ୍ୱଳ
ଆମ୍ବକାଠ ପିଢ଼ା ଆଉ ଭାଗବତ ପୋଥି
ଗଙ୍ଗାଜଳ ଓ ନିର୍ମାଲ୍ୟର ସାତ୍ତ୍ଵିକ ସକାଳ
ତମେ ଅପରାଜେୟ : ମହାକାଳ !
ତମେ ଅଛ, ଥିବ, ଜନ୍ମ ଜନ୍ମାନ୍ତର
ଏ ପୁର ଓ ସେ ପୁରର ପାର୍ଥକ୍ୟ ନାହିଁ
ତମ ଓ ମୋ ଭିତରେ,
ଯେହେତୁ ସମ୍ପର୍କ ଆମର
ବିସ୍ତୃତ ପରିଧିର !