STORYMIRROR

Siba Sankar Sahu

Romance Others

3  

Siba Sankar Sahu

Romance Others

ପ୍ରେମ: ଉତ୍ତରଯୌବନର

ପ୍ରେମ: ଉତ୍ତରଯୌବନର

1 min
57

ତମେ ଆସିବା ବେଳକୁ

ଦେଖ, ମହଳଣ ପଡ଼ିଲାଣି ଖରା

ଫେରିବେ ଫେରିବେ ହେଲେଣି ପକ୍ଷୀ

ସମୁଦ୍ରର ଢେଉ

ଆଉ ପାହାଡ଼ ପଛରେ ସରିଆସୁଥିବା ସମୟ !


ଦିକଦିକ କୋଇଲାର ନିଆଁରେ 

ଆହୁରି ସଫେଦ ଅନ୍ଧାର 

ଗେହ୍ଲେଇହେଉଥିବା ଭୋକ 

କୋଉଗୋଟେ ନାମହୀନ ଫୁଲର 

ବିଭୋରିତ ବାସ୍ନା

ଓ ସଙ୍ଗୀତର ତାଳେତାଳେ

ଫିଟିପଡୁଥିବା ଦେହର ମହକ !


ସମୟ ଅଳସ ଭାଙ୍ଗେ

ଜହ୍ନର ଚିକ୍କଣ ଦେହରେ

ମଦ ପିଆଲାରେ ଗାଢ଼ହୁଏ ରାତି

ତମେ ଆସ ଛାଇଟିଏ ହେଇ

ନୁପୁରର ଶବ୍ଦ ଖେଲିବୁଲେ

ସାରାଦେହ, ଖେଳିବୁଲେ 

ଶିରାପ୍ରଶିରା ଆଉ ଉଚାଟିତ କାମନାରେ !


ରାତି ଆଉ ରାତିହେଇ ରହେନା

ନିଷିଦ୍ଧ ଝରକା ଫାଙ୍କରୁ ଦେଖାଦିଏ 

ଅତୀତ , ଝାପ୍ସା ଝାପ୍ସା ସ୍ମୁତିରେ 

ସେମାନେ ସବୁ : ନିଶିଗନ୍ଧା, ଅରୁଣିମା,

ପାୟଲ କି ମନ୍ଦାକିନୀ 

ଜହ୍ନ ପିଠିରେ ଆସନ୍ତି ସବାର ହେଇ 

ହସି ହସି ଡାକନ୍ତି ,ଆସ 

ଅଥଚ ତମ ଗଭାଫୁଲର ବାସ୍ନାରେ

ବନ୍ଦ ମୋ ସମୟ !


ବୟସ କି ବୁଝେ ,

ଅସଙ୍ଗତ ଅସଜଡା ଦୁଃଖ ,ମନ ତଳର

ଯାହା ଡେଇଁବୁଲେ ଛାତ, କଲୋନୀ

ଅବା ମଲ କି ପାର୍କରେ !

ବୟସ କି ବୁଝେ ନିରୁପଦ୍ରଵ ଦଂଶନ

ବିଛଣା ଆଉ ତକିଆରେ !!

ସମୟ ଦାଉ ସାଧେ ।

କେବେ ରୋଗ ହୋଇ ଦେହରେ 

ତ କେବେ ଚାକିରୀଜଞ୍ଜାଳ, 

ଆଉ ନିପାରିଲାପଣିଆର କ୍ଷତ

ମନ ଗହୀରରେ ।


ମନତନ୍ତ୍ରୀରେ ବେପଥୁ ଶିହରଣ

ଜାକିଜୁକି ବସିଥିବା ବେଦୀର କନିଆଁପରି

ଉଜ୍ଜଳ ସମୟ 

ଉତ୍ତର ଯୌବନର, ହାତ ଠାରି ଡାକେ

କେବେକେବେ ମନଦୋଳି

ଖୋଜେ ଛାଡିଆସିଥିବା ମହାର୍ଘ ମୁହୂର୍ତ୍ତ

ଆଙ୍କିବସେ ପ୍ରିୟ ମୁହଁସବୁ

କାମନାର ନିରୁତ୍ତାପ ତୁଳୀରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance