ପ୍ରେମ: ଉତ୍ତରଯୌବନର
ପ୍ରେମ: ଉତ୍ତରଯୌବନର


ତମେ ଆସିବା ବେଳକୁ
ଦେଖ, ମହଳଣ ପଡ଼ିଲାଣି ଖରା
ଫେରିବେ ଫେରିବେ ହେଲେଣି ପକ୍ଷୀ
ସମୁଦ୍ରର ଢେଉ
ଆଉ ପାହାଡ଼ ପଛରେ ସରିଆସୁଥିବା ସମୟ !
ଦିକଦିକ କୋଇଲାର ନିଆଁରେ
ଆହୁରି ସଫେଦ ଅନ୍ଧାର
ଗେହ୍ଲେଇହେଉଥିବା ଭୋକ
କୋଉଗୋଟେ ନାମହୀନ ଫୁଲର
ବିଭୋରିତ ବାସ୍ନା
ଓ ସଙ୍ଗୀତର ତାଳେତାଳେ
ଫିଟିପଡୁଥିବା ଦେହର ମହକ !
ସମୟ ଅଳସ ଭାଙ୍ଗେ
ଜହ୍ନର ଚିକ୍କଣ ଦେହରେ
ମଦ ପିଆଲାରେ ଗାଢ଼ହୁଏ ରାତି
ତମେ ଆସ ଛାଇଟିଏ ହେଇ
ନୁପୁରର ଶବ୍ଦ ଖେଲିବୁଲେ
ସାରାଦେହ, ଖେଳିବୁଲେ
ଶିରାପ୍ରଶିରା ଆଉ ଉଚାଟିତ କାମନାରେ !
ରାତି ଆଉ ରାତିହେଇ ରହେନା
ନିଷିଦ୍ଧ ଝରକା ଫାଙ୍କରୁ ଦେଖାଦିଏ
ଅତୀତ , ଝାପ୍ସା ଝାପ୍ସା ସ୍ମୁତିରେ
ସେମାନେ ସବୁ : ନିଶିଗନ୍ଧା, ଅରୁଣିମା,
ପାୟଲ କି ମନ୍ଦାକିନୀ
ଜହ୍ନ ପିଠିରେ ଆସନ୍ତି ସବାର ହେଇ
ହସି ହସି ଡାକନ୍ତି ,ଆସ
ଅଥଚ ତମ ଗଭାଫୁଲର ବାସ୍ନାରେ
ବନ୍ଦ ମୋ ସମୟ !
ବୟସ କି ବୁଝେ ,
ଅସଙ୍ଗତ ଅସଜଡା ଦୁଃଖ ,ମନ ତଳର
ଯାହା ଡେଇଁବୁଲେ ଛାତ, କଲୋନୀ
ଅବା ମଲ କି ପାର୍କରେ !
ବୟସ କି ବୁଝେ ନିରୁପଦ୍ରଵ ଦଂଶନ
ବିଛଣା ଆଉ ତକିଆରେ !!
ସମୟ ଦାଉ ସାଧେ ।
କେବେ ରୋଗ ହୋଇ ଦେହରେ
ତ କେବେ ଚାକିରୀଜଞ୍ଜାଳ,
ଆଉ ନିପାରିଲାପଣିଆର କ୍ଷତ
ମନ ଗହୀରରେ ।
ମନତନ୍ତ୍ରୀରେ ବେପଥୁ ଶିହରଣ
ଜାକିଜୁକି ବସିଥିବା ବେଦୀର କନିଆଁପରି
ଉଜ୍ଜଳ ସମୟ
ଉତ୍ତର ଯୌବନର, ହାତ ଠାରି ଡାକେ
କେବେକେବେ ମନଦୋଳି
ଖୋଜେ ଛାଡିଆସିଥିବା ମହାର୍ଘ ମୁହୂର୍ତ୍ତ
ଆଙ୍କିବସେ ପ୍ରିୟ ମୁହଁସବୁ
କାମନାର ନିରୁତ୍ତାପ ତୁଳୀରେ !!