ପ୍ରେମ ଫୁଲ
ପ୍ରେମ ଫୁଲ
ରୂପସୀ ମନର ଏକାମ୍ର କାନନେ
ଫୁଟିଅଛି ଯେଉଁ ଫୁଲ
ସେଇ ଫୁଲ ପାଇଁ ରସିକ ଭଅଁର
ହେଲାଣି ପରା ପାଗଳ।
ଫୁଲଟିର ବାସେ ପ୍ରଣୟ ସୁଗନ୍ଧେ
ଦେହ ଶିହରାଇ ଦିଏ
ଚଗଲା ପବନ ପ୍ରୀତିର ବାରତା
ତା' କାନରେ କହିଦିଏ।
ଫଗୁଣ ତ ନାହିଁ ବହୁଅଛି କାହିଁ
ଅଦିନେ ମୃଦୁ ମଳୟ
କି ଲାଗି ମନରେ ଫଗୁ ବୋଳି ହୁଏ
ସବୁ ଲାଗେ ପ୍ରେମମୟ।
ଶ୍ରାବଣ ବି ଏଠି ପ୍ରେମ ଋତୁ ହୋଇ
ପ୍ରେମ ଗୀତ ଗାଇଲାଣି
ଚୋରା ଚଇତାଳୀ ଗୋପନରେ ବସି
ପ୍ରେମ ଚିଠି ଲେଖିଲାଣି।
ବୟସକୁ କିଏ ରାଣ ବି ଦେଇଛି
ନ ବଢି ଅଟକି ଯାଏ
ଅମରାବତୀର ପାରିଜାତ ଆସି
ଆପେ ଆପେ ମିଳିଯାଏ।
ପ୍ରୀତି ମନ୍ଦାକିନୀ ହୃଦୟକୁ ଚିରି
କୁଳୁକୁଳୁ ହୋଇ ବହେ
ସେ ଶୁଭ ଲଗନ ନିଶ୍ଚୟ ଆସିବ
ପୁଣି କହି କହିଯାଏ ।
ତଥାପି ସେ ଫୁଲ ତା' ବାଟ ଚାହିଁଛି
ଆସି ତାକୁ ତୋଳିନେବ
କଣ୍ଟାର ଆଘାତ ଖାତିରି ନକରି
ମଧୁର ପରଶ ଦେବ।
ବୁକୁତଳ ହୃଦ କୋଠରୀରେ ନେଇ
ଯତନରେ ସାଇତିବ
ଅନେକ ଦିନର ସାଇତା ସପନ
ମନ ଖୋଲି କହିଦେବ।
ମନ ହେଲେ କେବେ ଜହ୍ନ ରାଇଜକୁ
ହାତ ଧରି ନେଇଯିବ
ଚାନ୍ଦିନୀ ରାତିର ଶୁଭ୍ର ଆଲୋକରେ
ଶବ୍ଦ ଫୁଲ ସାଉଁଟିବ।
ଏକାନ୍ତରେ ବସି ମନେ ମନେ ହସି
କଳ୍ପନା ଲେଖନୀ ଧରି
ତା' ପାଇଁକି ସିଏ କବିତା ଲେଖିବ
ମନେ ଭାବି ଅସୁମାରୀ।