ସ୍ତ୍ରୀ ଯାଇଥିଲା ଯାତରା ଦେଖି
ସ୍ତ୍ରୀ ଯାଇଥିଲା ଯାତରା ଦେଖି
ପାଲା ହୁଏ ଯଦି ଗାଆଁରେ କେଉଁଠି
ଘରଣୀ ବାହାରେ ନାହିଁ,
ସାତକୋଶଦୂରେ ଯାତ୍ରା ଯଦି ପଡ଼େ
ଗୋଡଠିଆ କରେ ସେହି।
କଥାରେ କହିଛି ଶାଳୀ ଅବା ସ୍ତ୍ରୀ
ବିନା ଯାତ୍ରା ଯିବ ନାହିଁ,
ଏକାଯାତ୍ରା ଦେଖା ବିନା ଚାଖେଣାରେ
ଦେଶୀ ଦାରୁସମ ହୋଇ।
ତେଣୁ ରଙ୍ଗବତୀ ଆଖିରେ ଚଷମା
ଓଠେ ଲିପ୍ଷ୍ଟିକ୍ ବୋଳି,
କାନ୍ଧରେ ଭେନିଟି ଗଳେଇ ପାଦରେ
ମାଡିଦେଲା ହାଇହିଲ୍।
ବେକରେ ଗଳେଇ ମଙ୍ଗଳସୂତ୍ର ଯେ
କାନେ ସୁନା କାନଫୁଲ,
ଯାନି ଯାତରାରେ ପିନ୍ଧିବା ଅଭ୍ୟାସ
ଛାଡ଼େ ନାହିଁ ବିଲକୁଲ।
ଗୁଣ୍ଠୁଣୀ ହାତୀର ଓଜନ ଶରୀର
ସ୍କୁଟରରେ ଦେଲା ଲଦି ,
କେତେଗୁଡା ସର୍ତ୍ତ ରଖିଲା ମୋଠାରେ
ଯାତ୍ରା ଦେଖିଯିବ ଯଦି।
ଯେତେ ଯାହା ହେଉ ଚାଟ୍ ଗୁପ୍ଚୁପ୍
ଖାଇବ ସେ ମନଭରି,
ବାଦାମ ମଟର ପୁଡିଆ ଦି'ଟା
ନେବ ସିଏ ହାତେ ଧରି।
ରାତି ଏଗାରରେ ଗେଟ୍ ଖୋଲିଗଲା
ନାହିଁ ନଥିବା ସେ ଭିଡ଼,
ରଙ୍ଗବତୀ ମୋର ପାଟି ଚିଲେଇଲା
କୁନାବାପା ତାକୁ ଧର।
ବାଡିପଡା ମୋର ସବୁ ନେଇଗଲା
କ'ଣ କରିବି ମୁହିଁ,
ମଙ୍ଗଳ ସୂତ୍ର ଓ କାନଫୁଲ ଚେନ୍
ଆଉ ମୋ ପାଖରେ ନାହିଁ।
ମୁଣ୍ଡ ମୋର ଘୂରିଗଲା ସେତେବେଳେ
ଚୋର ସବୁ ଗଲା ନେଇ,
କମିଟି ବାଲାଙ୍କ ମାଇକି ଡାକୁଛି
ଆମେ ଦାୟୀ ହେବୁ ନାହିଁ।
ରଙ୍ଗବତୀ ହାତ ଟାଣି ଆଣି ଯାତ୍ରା
ଟିକେଟକୁ ଦେଲି ଚିରି,
ପାଟିକୁମୋ ଯାହାଆସିଲା ସେବେଳେ
ବହେ ତାକୁ ଦେଲି ଗାଳି।
ଖଟିଖାଟି ଗଣ୍ଡା ପେଟକୁ ନ ଖାଇ
କରିଥିଲି ସୁନାଚିଜ,
କିଏ କହୁଥିଲା ଯାତ୍ରା ଆସିବାକୁ
ହୋଇକି ଏଭଳି ସଜ ।
ଏତିକି ବେଳରେ ହୋମଗାର୍ଡ ଠାରେ
ନଜର ମୋ ଗଲା ପଡ଼ି,
କହିଲି ସାର୍ ମୋ ରଙ୍ଗବତୀର
ସୁନା ହୋଇଗଲା ଚୋରୀ।
ଏହାଶୁଣି ମୋତେ ହୋମଗାର୍ଡ ବାବୁ
ଚଢେଇ ଦେଲେ ପାହାରେ,
ପିଠି ଆଉଁସି ମୁଁ କହିପକେଇଲି
କାହିଁକି ପିଟିଲ ସାଆରେ ।
ତମେ ଶଳାଗୁଡା ସ୍ତ୍ରୀ ବୋଲକରା
ଯାତ୍ରା ଦେଖି କାହିଁ ଆସ,
ମାଇପକୁ ସୁନା ଜିନିଷ ପିନ୍ଧେଇ
କରୁଥାଅ ପ୍ରେମ ରାସ।
ହୋମଗାର୍ଡ ବାବୁ ଏହାକହି ମୋର
ରଙ୍ଗକୁ କରିଲେ ଜେରା,
ଚୋର ଖାଲି ତୁମ ଜିନିଷ ନେଲା ନା
ଆଉ କ'ଣ କିବା କଲା ।
ରଙ୍ଗବତୀ କହେ ଛାତିକୁ ଜାବୁଡ଼ି
ଭିଡିକି ଧଇଲା ସେହି,
ମୋ ମୁହଁରେ ସ୍ଵିଟ୍ କିସ୍ଟିଏ ଦେଇ
ଜିନିଷ ନେଲା ଛଡେଇ।
ଘଟଣାଟା ବଡ଼ ଅଜବ ଲାଗୁଛି
ହୋମଗାର୍ଡ ବାବୁ କୁହେ,
ଚୋରୀ ଯେ କରିଛି ତୁମ ଘରଣୀର
ଅସଲ ପ୍ରେମିକ ସିଏ।
ହଠାତ୍ ମୋ ରାଗ ପଞ୍ଚମକୁ ଚଢେ
ଜାଣିଗଲି ଚୋର କିଏ,
ରାତି ପାହୁ ତା'ର କଥା ମୁଁ ବୁଝିବି
ଆର ଗାଁ ଚଗଲା ସିଏ।
ଜାଣୁଛି ଆଜି ମୁଁ କଅଣ ପାଇଁକି
ଆମ ଘରକୁ ସେ ଆସେ,
ଏ ଦୁହିଁଙ୍କୁ ଯାହା ସନ୍ଦେହ ମୋ ଥିଲା
ହେଇଯିବ ବୋଧେ ବର୍ଷେ।
ଆଉ କି ଯାତରା ଦେଖିବି ସେଠି ମୁଁ
ସ୍ତ୍ରୀ ଯେଉଁ ଯାତ୍ରା କଲା,
ସନ୍ଦେହ ମୋ ମନେ ବଢୁଥିଲା ଯାହା
ରାଗ ଖାଲି ଚଢୁଥିଲା।
ରଙ୍ଗବତୀ ହାତ ଝିଙ୍କି ମୁଁ ଆଣିଲି
ଧନ୍ୟ ତୁ ପ୍ରୀତି ରଙ୍କୁଣୀ,
ମୋଠାରେ ତୁ କେଉଁ ଅଭାବ ଦେଖିଲୁ
ଭିତରେ ପିଇଲୁ ପାଣି।
ମୋର ରଙ୍ଗବତୀ ମଳି ମଳି ଆଖି
ମିଛେ ମିଛେ କାନ୍ଦୁଥିଲା,
ଅନିଦ୍ରା ହୋଇକି ଭାବି ଭାବି ଯାହା
ରାତିଟା ମୋ ପାହିଗଲା।
