ଉନ୍ମନା
ଉନ୍ମନା
ସେ ବି କହେ
ମୁଁ କାଳେ ଊର୍ମିମାଳୀ
ଉତ୍ସୃଙ୍ଖଳ ଉର୍ମି ।
ମୋହନ ବଂଶୀର
ଉନ୍ମନା ରାଗିଣୀ
ଉନ୍ମତ୍ତ ତା ' ପାଇଁ ।
ତା' ପ୍ରଣୟ କାଦମ୍ବରୀ ପାନେ
ହୁଏ ଆନମନା ।
ନା ଅଛି ଗୋପାଳୁଣୀ ଭାବ
ନା ମୀରା ସମର୍ପଣ ??
ଉଜାଣୀ ବହିବ ଯମୁନା !!
ନିଶିର ବିଜନ ବେଳାରେ
ସ୍ମୃତିର ଗୁପ୍ତ ଫରୁଆରୁ
ଚୁପି ଚୁପି ଯେବେ ଆସେ
ଆହ୍ଲାଦିନୀ ଶିଞ୍ଜିନୀ ନିକ୍ୱଣ
କମ୍ପନ ତୋଳେ
ହୃଦ କନ୍ଦରରେ ।
ଖୋଜେ ମୋ ଉନ୍ମନା ମନ
ଭୂ ରୁ ଭୂମା
ପାଦ ରୁ ପାବନୀ
ସ୍ୱର୍ଗରୁ ସୁଷମା ......
ହାୟ ! ଦୁଷ୍ପ୍ରାପ୍ୟ ......
ସେ ତ ଶବ୍ଦାତୀତ
ସ୍ୱାର୍ଥର ଉର୍ଦ୍ଧ୍ୱ
ଦିଗନ୍ତର ମଧୁରିମା
ଆର୍ଦ୍ରାବଳି ରଙ୍ଗ
ଅସ୍ତଗାମୀ ସୂର୍ଯ୍ୟର ଲାଲିମା
ମହାଶୂନ୍ୟର ନୀଳିମା
ହିମକର ଶୀତଳତା
ବିଶ୍ୱାସ ଓ ନିଃଶ୍ୱାସ ସତ୍ୟତା ।
ପାଏ ମୁଁ ସବୁଠି ।
ଯଦି କେବେ ପଚାରେ
ନାହିଁ କହ କେଉଁଠି ?
ଉତ୍ତର ମୋ ହେବ --
" ମୋ ଭାଗ୍ୟରେ ନଥିଲୁ ତୁ "
ଦଧିଚି ଭଳି ଦେହ ନୁହେଁ
ଯଯାତି ଭଳି ଯୌବନ
ଦାନ କରି ଆଜି
ପ୍ରତିକ୍ଷଣେ ଛଟପଟ ମୁଁ ।