ମାଗିବାର ବ୍ୟଥା
ମାଗିବାର ବ୍ୟଥା
ଗ୍ରୀଷ୍ମକୁ ମାଗିଲି,ଝାଞ୍ଜି ଖରାବେଳେ, ନୈଦାଘର ନିଷ୍ଠୁରତା
ଗାଆଁ-ଗୋହିରିରୁ ବୋଧଗମ୍ୟ ସୁର ଭାସି ଆସି ଦେଲା ବାର୍ତ୍ତା ।
ନିଦାରୁଣ ନୁହଁ ନୈଦାଘ ସମୟ, ମୃଗତୃଷ୍ଣା ଅବାସ୍ତବ
ରୌଦ୍ରତାପ ବହେ ସୃଷ୍ଟିର ନିଦାନ ଆଦ୍ୟ ଋତୁର ସଦ୍ଭାବ ।
ବର୍ଷାକୁ ମାଗିଲି ଧାରାଶିରାବଣ ଧୋଇବାକୁ ଦେହ ପାପ
ପାପ ଶରୀରରୁଁ ପୁଣ୍ୟ ନଦୀ ଜଳେ ଲିଭାନ୍ତା ମନ ଉତ୍ତାପ ।
ମାଗିଲି ସ୍ୱଚ୍ଛତା ଶରତକୁ ସ୍ଥିରେ ଶାରଦୀୟ ପୂତ ପ୍ରାଣେ
ଦୁଃଖରେ କହେ ସେ," ଶୁଦ୍ଧତା ଛପିଛି ଭାଇଚାରା ଦ୍ୱାହି ବଣେ"।
ସ୍ନିଗ୍ଧତା ଚାହିଁଲି ହୈମଳଠୁଁ; କହେ," କଙ୍କର ଦୁନିଆଁ ଛାଡ଼"
ସପନ ଦେବାକୁ ଶୀତ କହି କହେ, "ସ୍ୱପ୍ନ ପାଇଁ ଏଠି ବାଡ଼"।
ବସନ୍ତର ମିଠା-ପରଶ ,ଭରସା ,ମାଗିଲି ବନ୍ଧୁ ବିଶ୍ୱାସେ
ଫଗୁଦଶମୀରେ ବନ୍ଧୁ ଯେ ଆସନ୍ତି କହେ ବସନ୍ତ ହରଷେ ।
ଦୋଳାରେ ଆସନ୍ତି ଦୋଳମଣ୍ଡପକୁ, ସଭିଁଙ୍କ ବନ୍ଧୁ ତ ସିଏ
ତାଙ୍କୁ ବନ୍ଧୁ କରି, ଆତ୍ମ ନିବେଦିଲେ ଅପ୍ରାପ୍ତି ବ୍ୟଥା ନ ରହେ ।
