ଶୀତ ଆବାହନୀ
ଶୀତ ଆବାହନୀ
ସରସୀ କୂଳରେ ଅଳସ ଭଙ୍ଗିରେ ସ୍ନାନ ସାରି ଆଈ ଧାଏଁ ,
ତୁଳସୀ ମୂଳରେ ଆଳତି ସାରି ସେ କାର୍ତ୍ତିକ କାହାଣୀ ଗାଏ।
ପ୍ରତ୍ୟୁଷ ଆଳତି, ଘଣ୍ଟ, ଶୁଭ- ଶଙ୍ଖ, ଗୀତା- ଭାଗବତ ଧ୍ୱନି,
ଉଷା ଅବକାଶେ ଆକାଶ ଦୀପଟି ଗାଏ ଶୀତ ଆଗମନୀ ।
ଗାଁ ନଈ ଧାରେ, ସରସୀ ଜଳରେ, ଧୂଆଁ ଛିଟା ସେବେ ଦିଶେ,
ହେମନ୍ତ ସକାଳ, ଭ୍ରମ ରଚେ ମଧ୍ଯ, ରୂପେଲି ଗାଲିଚା ଘାସେ।
ନଦୀ ତୁଠୁଁ ଫେରେ ପଲ୍ଲୀ ଲଳନାଟି " ଛୋଟଦିନ ପରା" ଭାସି,
ଶୀତ ଆଗମନ ସଙ୍କେତ ଦିଏ, ସୂର୍ଯ୍ୟ ଦେଲେ ନଭେ ହସି।
କୃଷକ ବନ୍ଧୁଟି ନିଜର ସାହସ ଶସ୍ଯ କ୍ଷେତ୍ର ଖୁସି ଦେଖି ,
ଗୋଧୂଳି ଲଗ୍ନରେ ଥକା ମେଣ୍ଟାଏ ସେ ଆଶାର-ସୌଧ ପରଖି।
ଦୂର ଦୂରାନ୍ତରୁ ପକ୍ଷୀକୂଳ ଧାଏଁ ରହିବାକୁ ନଳବଣେ ,
ଶୀତକୁ ସୂଚାଇ ନଳବଣେ ପକ୍ଷୀ ନିଜକୁ ସୁରକ୍ଷା ମଣେ ।
ଗ୍ରାମପଥ ଦେଇ କୃଷକ ବନ୍ଧୁର କାନ୍ଧେ ଶସ୍ଯ ଭାର ଆସୁ ,
ଶୀତ ଆଗମନୀ; ସ୍ୱାଧୀନ ମଣିଷ, ସଞ୍ଜିବନୀ ଛିଞ୍ଚି ହସୁ ।
