ଭାବ --ପରବାସୀ ପୁଣି ଉପସ୍ଥିତିର
ଭାବ --ପରବାସୀ ପୁଣି ଉପସ୍ଥିତିର
ତମେ ଗଲା ପରେ, ଗ୍ରୀଷ୍ମ ଅବତରେ,
ଅସହ୍ଯ ଉଷ୍ଣତା ସାଥେ,
ଜ୍ୟେଷ୍ଠ ମଧ୍ୟାହ୍ନର ଜ୍ୱଳନ
ଜୁଲମ୍ , ବିବ୍ରତ ପଥିକ ପଥେ ।
ବର୍ଷା ବର୍ଷୁଥିଲା ବିମନସ୍କେ ଭଲା,
ବାରିଦ ସବାରି ବାହି ,
ତମ ବାର୍ତ୍ତା ଦେଇ, ବହ୍ନିସାଖା ବହି,
ତମ ଆଡ଼େ ଗଲା ଧାଇଁ ।
ଶ୍ରଦ୍ଧା ଶୃଙ୍ଗାରରେ ଶରତ ବ୍ୟାକୁଳ,
ଶାରଦୀୟ ଜ୍ୟୋସ୍ନାଲୋକେ l
ସ୍ଥିର ଜଳରାଶି ଶରତ ସରସୀ
ମାତ୍ର ସୁଖ ନାହିଁ ମୁଖେ ।
ହେମକାନ୍ତ ଶିରୀ, ହେମମାଳୀ ଧରି
ହୈମଳ ଆସିଲା ନଇଁ l
ହିମାଂଶୁର କର, ହୀରକ ହିଲ୍ଲୋଳ,
ତଟିନୀ ତମାଶା ନାହିଁ
ଆସୁଥିଲା ଶୀତ ହିତ ଆଭରଣେ,
ଶିଷ୍ଟାଚାର ଶିକ୍ଷା ଦେଇ l
ବିରସ ବଦନ ଦେଖି ବୁଝି ମନ,
ମୁର୍କି ହସିଲା ଚିଡ଼େଇ ।
ମନ୍ଦବାୟୁ ସିକ୍ତା ପୁଷ୍ପ ବିଭୂ
ଷିତା
ବସନ୍ତ ଅଧୀର କଲା l
ପରବାସୀ ପ୍ରିୟ,ସବୁ ଲାଗେ ହେୟ,
ବେଳ ସବୁ ବାରବେଳା।
ତମ ଆଗମନେ, ଗ୍ରୀଷ୍ମ ଅଭିମାନେ,
ମୃଗତୃଷ୍ଣା ଦେହେ ବହେ,
ଚାରିମେଘ ଘେନି, ବର୍ଷା ଆଗମନୀ
ମେଘମହ୍ଲାର ଗାଏ ।
ସୌଭାଗ୍ୟ ମସୁଧା, ଶରକିନ୍ଦୁ ଶ୍ରଦ୍ଧା,
ଶଶିକାନ୍ତ ଭେଟିଦେଇ,
ହେମମାଳୀ ଶୋଭା,ହିରଣ୍ମୟ ଆଭା
,ସର୍ବତ୍ର ଦେଲେ ବିଛେଇ।
ହେମନ୍ତ ହସିଲା, ଧରି ହିମଶିଳା,
ହିରକର ପ୍ରଭା ନେଇ ,
ବସନ୍ତଉତ୍ସବ ହେଲା ଅଭିନବ,
ନବନୀତ ଅର୍ଘ୍ୟ ଦେଇ ।
ତମେ ଗଲା ପରେ,ବିରହୀ ଅଧୀରେ
ଶୋଚନାରେ ଝୁରେ ରହି,
ତମ ଉପସ୍ଥିତି, ବିତରେ ପ୍ରଶାନ୍ତି,
ସୌହାର୍ଦ୍ୟ ଆଣିଲା ବୋହି।