ଭଗ୍ନ ଶିଳାପଟ୍ଟ
ଭଗ୍ନ ଶିଳାପଟ୍ଟ
କେବେ ତୁମେ ବ୍ୟକ୍ତ, ବ୍ୟଥିତ ପ୍ରାଣର,ନିଃସଂକୋଚ ଅନୁରାଗ ,
କେବେ ପ୍ରବଞ୍ଚନ,ବ୍ୟଙ୍ଗ ବ୍ୟାଖ୍ୟାନ,ବିରାଗ ବିରାଟ ଦାଗ ।
ପୁଣି ତୁମେ ଦୃଶ୍ୟ, ଜୀବନ ସର୍ବସ୍ୱ, ଦିନାର୍ଦ୍ଧର ସୁଖ ସ୍ୱପ୍ନ ,
ହୁଅ ତେବେ ଦୀପ୍ତ, ଲୌହିତ୍ୟ ଶର୍ବରୀ,ପରଶ୍ୱ ପରସ୍ୱ ଚିହ୍ନ ।
ଯେବେ ତୁମେ ସିକ୍ତ ଶୀତୁଆ ଶଯ୍ୟାର ନିଶ୍ୱସନ ପ୍ରଖରତା ,
ହୋଇଯାଅ ରିକ୍ତ,ସଂଭାବ୍ୟ ରହିତ, ଭାସିବା ଭାଷିବା ସତ୍ତା !
ବିକ୍ଷିପ୍ତ ବିଚାର, ଅପୂତ ମନକୁ, ନିର୍ଦ୍ଦେଶି ନିଠୁର ବାଣୀ ,
ଶିକ୍ଷା ଅନ୍ତରାଳେ ଅନ୍ୟାସକ୍ତ ଶିଖା, ଅନାସକ୍ତ କହେ ଜାଣି ।
ନବ ଆବାହନେ ଭିନ୍ନ ଭୂକମ୍ପନ, ନମ୍ର ଅନ୍ତର୍ଦାହ ଭ୍ରମେ ,
ଭାବଗର୍ଭ ଭାବ,ଭୀତି ସଞ୍ଚଳନ, ସନ୍ମାର୍ଗ ସୂଚାଏ ମର୍ମେ ।
ପାନ୍ଥଶାଳା କେବେ ,କ୍ଲାଂତ ପଥିକକୁ, ମାଗେ ନାହିଁ ପରିଚୟ ,
କେବେ ତୁମେ ଥିବ, ମୁଁ ବୋଧେ ନଥିବି, ଖେଳ ନିୟତି ନିର୍ଣ୍ଣୟ !
ସକ୍ତି ଭୁକ୍ତଭୋଗୀ, ଆଶଂକିତ ଆଶା, ବିଡମ୍ବିତ ଶକ୍ତ ଚୋଟ ,
ମୁଁ ପୁଣି ବିଦୀର୍ଣ୍ଣ, ନକ୍ତ ନିର୍ବିରୋଧ, ଧାର୍ଯ୍ୟ ଭଗ୍ନ-ଶିଳାପଟ୍ଟ ।