STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

1 min
9


(ରମ୍ୟ ରଚନା, ରାଜନୈତିକ)

ଆଜିର ମୁଖ୍ୟ ଖବର ଭାଇ

   ପଢ଼ନ୍ତୁ ମନ ଦେଇ,

ମାଙ୍କଡ଼ ଆତ୍ମ ହତ୍ୟା କରିଛି

  ପାଣିମଧ୍ୟକୁ ଡେଇଁ।

ଶବ ଉଦ୍ଧାର ହୋଇଛି କିନ୍ତୁ

   ବେଙ୍ଗ ମାନଙ୍କ ଭିଡ଼,

ମିଡିଆ ବାଲା ହୋ ହାଲ୍ଲାକୁ

   ଲାଗିଛି ଗଣ୍ଡଗୋଳ।

ଥାନା ପୋଲିସ ତଦନ୍ତ ଶବ

   ହୋଇବ ବ୍ୟବଚ୍ଛେଦ,

ହତ୍ୟା ନା ଆତ୍ମହତ୍ୟା ଘଟଣା

   ନିଶ୍ଚୟ ଜଣାଯିବ‌।

ଯେ ପ୍ରାଥମିକ ରିପୋର୍ଟ କହେ

   ବେଙ୍ଗଙ୍କ ସାକ୍ଷ ନେଇ,

ମାଙ୍କଡ଼ଟିର ଏ ବଳିଦାନ

   ସ୍ଵାଭିମାନକୁ ନେଇ।

ଆଜି ମାଙ୍କଡ ଶହୀଦ ହେଲା

   ଏହି ନେତାଙ୍କ ପାଇଁ,

ଡିଆଁ କୁଦରେ ନେତାଙ୍କ ଭଳି

   ଡେଇଁ ପାରିଲା ନାହିଁ।

ମାଙ୍କଡ଼ ନେତା ପ୍ରତିଯୋଗିତା

    ମାଙ୍କଡ଼ ଗଲାହାରି,

ଯେଉଁଥିପାଇଁ ନିଜ ଜୀବନ

    ମାଙ୍କଡ଼ ଦେଲା‌ ହାରି।

ସତ୍ୟ, ତ୍ରେତୟା,ଦ୍ଵାପର ଯୁଗେ

    ବାନର ଜିତୁଥିଲେ‌,

କଳିଯୁଗର ନେତାଙ୍କ ପାଖେ

    ବାନର ହାରିଗଲେ‌।

ଡିଆଁ ବାଗୁଡ ଡାଳରୁ ଡାଳ

    ମାଙ୍କଡ଼ ହେଉଥିଲେ,

ଆଜିକା ନେତା ମାଙ୍କଡଠାରୁ

    ଡିଆଁରେ ବଳିଗଲେ।

ଏମିତି ବେଗେ‌ ନେତା ଡିଅଁନ୍ତି

    ନ ଥିଲା ଏହା ଜଣା,

ହେଉ କି ହାତ,ପଦୁଅଁ‌,ଶଙ୍ଖ 

    କେ ନୁହେଁ କାରେ‌ ଊଣା।

ଶଙ୍ଖକୁ ଥୋଇ କିଏ ଗଲେଣି

    ପଦ୍ମ ଫୁଟେଇବାକୁ,

ପଦ୍ମକୁ ଛାଡି ଗଲେଣି କେତେ

    ହାତକୁ ଧରିବାକୁ।

ନେତା ହାରିଲେ ଦଳକୁ ଦଳକୁ

    ମାରୁଛି ଡିଆଁ କୁଦ,

ମାଙ୍କଡ଼ କିନ୍ତୁ ହାରିଲା ଦେଖ

   ନିଜକୁ କଲା ବଧ।

ମରିଲା‌ ପଛେ ଗଲା ନାହିଁ ସେ

   ଅନ୍ଯ ଦଳକୁ ଡେଇଁ,

ଜୟ ଶ୍ରୀ ରାମ କହି ସେ ହନୁ

   ଗଲା ଅମର ହୋଇ।

ମରିବା ବେଳେ ଯାହା ବୟାନ

   ମାଙ୍କଡ଼ ଦେଇ ଥିଲା,

ସାମ୍ବାଦିକଙ୍କୁ ବେଙ୍ଗ କୁହନ୍ତି  

    ସୁଟିଂ ଚାଲିଥିଲା।

ବେଙ୍ଗବୁଢାକୁ ସାମ୍ବାଦିକ ଯେ

    ପଚାରୁଥାନ୍ତି ପ୍ରଶ୍ନ,

ପ୍ରାର୍ଥୀ ହେବାକୁ ଅଛି କି ମନ 

    ଆସୁଛି ନିର୍ବାଚନ?

ତୁମେ ତ ବେଙ୍ଗ ଡେଇଁବା ତୁମ

    ନିତିଦିନିଆ କାମ,

ବେଙ୍ଗ କହୁଛି ନାହିଁରେ ବାବୁ

    କାହିଁକି ନେବୁ ନାମ?

ନେତାଙ୍କ ଭଳି ନ ଡେଇଁ ପାରି

    ମାଙ୍କଡ଼ ମଲା ଯହିଁ,

ଆମେ ତ ଛାର‌ ଗାଡିଆ ବେଙ୍ଗ

    ଆମର ଦମ୍ କାହିଁ?

ଯିଏ କରୁଛି ଦଳବଦଳ‌

    ମାରୁଛି ଡିଆଁ କୁଦ,

ତାକୁ ଟିକେଟ ନ ଦିଆଗଲେ

   ଦେବି ମୁଁ ଧନ୍ୟବାଦ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy