STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

ଷଣ୍ଢ କରୁଛନ୍ତି କାଣ୍ଡ

ଷଣ୍ଢ କରୁଛନ୍ତି କାଣ୍ଡ

1 min
391


ଲୋକ ଭିଡେ ଆଜି ବଜାର ଜମୁଛି

   ଲାଗିଅଛି ହୋ ହାଲ୍ଲା,

କଳା ଧଳା ଷଣ୍ଢ ଦୁହିଁଙ୍କର କାଣ୍ଡ 

   ଛକରେ ଲାଗିଛି ପାଲା।


ଘଟଣାଟା ଯାହା ଷଣ୍ଢ ପରସ୍ପର

   ଲଢେଇ ଲାଗୁନାହାନ୍ତି,

ଦିବା ବେହେରାର କୁକୁଡାକେଭିନି

   ଓଲଟେଇ ଦେଇଛନ୍ତି।


କୁକୁଡ଼ା ମାଉଁସ ବିକି ପାରୁନାହିଁ

   ଆଜି ସେ ଦିବା ବେହେରା,

ବରଂ ଠେଙ୍ଗା ଧରି ଷଣ୍ଢ ଦୁଇଟାକୁ

   ବାଡ‌ଉଥାଏ ସେ ପରା।


ଷଣ୍ଢ ଦୁଇଟି ଯେ ଏକା ଯିଦି ଧରି

   ସେ ଜାଗା ଛାଡନ୍ତି ନାହିଁ,

ଦିବା ବେହେରାକୁ ମାରିବା ପାଇଁକି

   ତା 'ପାଖେ ଝୁଙ୍କି ଆସ‌ଇ।


ବଜରଙ୍ଗ ଦଳ ପିଲା ଆସି ସେଠି

   ଦିବାକୁ ପଚାରୁଛନ୍ତି,

ପଞ୍ଚୁକ ଚାଲିଛି ବଡ଼ ଓଷା ପୁଣି

    ମାଂସ ତୋ କଟା ଚାଲିଛି।


ଧର୍ମ ମାସ ଏହି ପୁଣ୍ୟ କାର୍ତ୍ତିକରେ

    ତୁମ ଭଳି କେହିଜଣ,

ପ‌ଇସା ଲୋଭରେ ଜୀବ ଗୁଡାକୁ ହେ

   ହାଣୁଥାଅ ପ୍ରତିଦିନ।


ବଗବଗୁଲୀ ବି କାର୍ତ୍ତିକ ମାସରେ

    ଆଇଁଷ ଛୁଉଁ ନାହାନ୍ତି,

କିନ୍ତୁ ଆମ ଲୋକ ପଞ୍ଚୁକତିଥିରେ

    ଭଲ ମଦ ମାଂସ ଖାନ୍ତି।


ତେଣୁ ମଣିଷଙ୍କୁ ଶିକ୍ଷା ଦେବାପାଇଁ

   ସେ ପ୍ରଭୁ ଧବଳେଶ୍ୱର,

କୁକୁଡ଼ା କେଭିନି ଭଙ୍ଗା ଅଭିଯାନ

    ଆରମ୍ଭ କଲେ ଏଠାର।


କଳାଧଳା ଷଣ୍ଢ ବାବାଙ୍କ ବାହନ

    ଏହି ଦୁହେଁ ନନ୍ଦୀ ଭୃଙ୍ଗୀ,

ଛାଡଖାଇ ଦିନ ଆହୁରି ମାତିବେ

    ଭଲକରି ଥାଆ ଜଗି।


ବଡ‌ଓଷା ପାଇଁ ମାସକ ଆଇଁଷ

    ଯେଣୁ ଆମେ ଛାଡିଦେବା,

ଓଷା ପୂର୍ବଦିନ ଭଲକି ଚିକେନ

    ମଟନ ରାନ୍ଧି ଖାଇବା।


ଓଷା ସରିଗଲେ ଛାଡଖାଇ ଦିନ

    ପୁଣି ଜନ୍ତାଳ କରିବା,

ବାରବରସର ତପସ୍ୟା ଶୁଖୁଆ

    ଝୋଳେ ଆମେ ସାରିଦେବା।


ଏଇ ଆମ ଧର୍ମ ବଡ଼ ଓଷା ବ୍ରତ

    ଏଇ ଆମ ପ୍ରଭୁ ଭକ୍ତି,

ଏଇ ଆମ ନୀତି ଏହି ସମ୍ମାନରେ

    ବଞ୍ଚିଛି ଆମ ସଂସ୍କୃତି।


ଦିବାବେହେରାର ଚିକେନ ବେପାର

    ଷଣ୍ଢ ପଣ୍ଡ କରିଦେଲେ,

ପରିବା ବେପାର କରିବାକୁ ତାକୁ

    ବଜ୍ରଙ୍ଗ ପିଲା କହିଲେ।


ଏ ଝମେଲା ସିନା ତୁଟିଗଲା ପୁଣି

    ସଞ୍ଜେ ମଦୁଆ ମାତିବେ,

ଏମାନଙ୍କୁ ମୂର୍ଖ ଅପର୍ତ୍ତି କହୁଛି

   ଷଣ୍ଢ ସାଇଜି କରିବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy