ବାରମାସୀ
ବାରମାସୀ
ବୈଶାଖରେ ଯେବେ
ତମ କଥା ଭାବେ
ନିଦାଘ ଦେଖାଏ ଆଖି
ଜ୍ୟେଷ୍ଠ ଆଣି ଦେଲା
ଆଷାଢ଼ର ଚିଠି
ଶ୍ରାବଣ ଗାଇଲା ଚୋଖି ।
ଭୋଦୁଅ ନିର୍ଦ୍ଦୟ
ବୁଝେନି ହୃଦୟ
କଅଁଳ କୁଆଁରୀ ମନ
ଅଶିଣ ସିଆଣୀ
ଆଣି ଦେଲା ଜାଣି
କୁଆଁର ପୁନେଁଇ ଜହ୍ନ ।
କାର୍ତ୍ତିକର କୀର୍ତ୍ତି
କହିଲେ ନସରେ
ମଗୁଶିର ଭରେ ସିନ୍ଥା
ଅଳସୀ ପଉଷ
ଛଡ଼ାଏ ଆୟୁଷ
ମାଘ ମାଗେ ଛିଣ୍ଡା କନ୍ଥା ।
ଦରଦୀ ଫଗୁଣ
ପ୍ରେମର ପିଆଣ
ଧରେଇଲା ମୁହଁ ସଞ୍ଜେ
ଚଗଲା ଚଇତ
ଡାକି ନେଲା ଯାତ
ସଢ଼ି ଗଲି ପ୍ରୀତି ଲାଜେ ।
ବାରମାସୀ ବୋଲି
ବାର ମାସ ଯାକ
ପ୍ରୀତିର ମଦିରା ଖୋଜେ
ରସରେ ରସରେ
ରାସଲୀଳା କରେ
ରସବତୀ ରାସ କୁଞ୍ଜେ ।