STORYMIRROR

Aparti Charan Sethi

Tragedy Fantasy

4  

Aparti Charan Sethi

Tragedy Fantasy

ସ୍ମୃତି ପଲକରେ ନିଆଁ

ସ୍ମୃତି ପଲକରେ ନିଆଁ

1 min
7


ଏନ୍ତୁଡ଼ିର ନିଆଁ ମାଆ ହାତ ଛୁଆଁ

    ସେ କଥା ମୋ ମନେ ନାହିଁ,

ଅଗିରା‌ ପୁନେଇଁ ନିଆଁ ଜଳୁଥିଲା

    ଥିଲୁ ମୋ ପାଖରେ ତୁହି।

ଗେଲ ନକଲରେ‌ ହାତ ତୋ ଅଣ୍ଟାରେ 

    ମାରି ଦେଇଥିଲି‌ ମୁହିଁ,

ପ୍ରଥମ ଛୁଆଁରେ ଚିଡିଗଲୁ ସଖୀ

     ମୋ ଉପରେ ରାଗିଯାଇ‌।

ଚାଟଶାଳୀ ପାଠ ପଢା ବେଳ କଥା

     ଶୀତ ଦିନ ସକାଳରେ‌,

ନିଆଁ ପାଉଥିଲେ ଏକାଠି ବସିକି

     ହସିଥିଲୁ ସେତେବେଳେ।

ବୟସ ବଢିଲା ଯୁଗ ବଦଳିଲା

     ଆସିଲା ତୋ‌ ଜନ୍ମଦିନ,

ଦୀପ ଜଳୁଥିଲା କେକ୍‌ କଟାହେଲା

     ଡାକିଥିଲୁ ସେହିଦିନ।

ସେଦିନ ଦେଖିଲି ପ୍ରଥମ କରି ତୋ

     ଓଠରେ ଲାଜୁଆ ହସ,

ହୃଦ ଅଗଣାରେ ମହକି ଉଠିଲା

    ପ୍ରୀତି ମଳୟର ବାସ।

ଫଗୁଣ ତୋ ଦେହେ ଲହଡ଼ି ଭାଙ୍ଗିଲା

    ହଜିଲା ମୋ ଆଖି ନିଦ,

ସପନ ସୁନ୍ଦରୀ ମନ କଲା ଚୋରୀ

    ତୋ ପ୍ରେମରେ ହେଲି ଅନ୍ଧ।

ଅନେକ ଭାବିଲି ଅଳପ‌ କହିଲି

    ପାଖ ଲାଗୁଥିଲା ଦୂର,

ତୋ ମୋ ଭିତରେ ଦୁନିଆଁ ଟାଣିଲା

    ଆକଟ ଲକ୍ଷ୍ମଣ ଗାର‌।

ମନକଥା ମୋର ମନେ ମରୁଥିଲା‌

 ‌ କହିପାରିଲିନି‌ ଖୋଲି,

ତୁମ ଆଖି କିଛି କହୁଥିଲା ବୋଧେ

    ଅନୁମାନ କରୁଥିଲି‌।

ଦେହେ ଜଳୁଥିଲା ପ୍ରେମ ନିଆଁ ମୋର

    ଭାବନାରେ ଥିଲି ବୁଡି,

ଚାଲିଲେବସିଲେ ଶୋଇଲେ ଉଠିଲେ

    ତୋତେ ହେଉଥିଲି‌ ଝୁରି।

ବୋଉମୋର ଥରେ କହିଲାସେ କଥା

    ଯାହା ଭାବୁଥିଲି ମୁହିଁ,

ବୋହୂ କରି କାଳେ ଆଣିବ ଘରକୁ

    କନିଆଁ ସାଜିବୁ ତୁହି‌।

ସତ ହେଲା ଦିନେ ସେହି କଥା ସଖୀ

    ତୁ ହେଲୁ ମୋର କନିଆଁ,

ହାତଗଣ୍ଠି ବେଳେ ଜଳୁଥିଲା ସେଠି

    ବେଦୀପରେ‌ ହୋମ ନିଆଁ।

ମଧୁଚନ୍ଦ୍ରିକାରେ ରଜନୀଗନ୍ଧାରେ

    ଶେଯ ଯେବେ ସଜେଇଲୁ‌, 

ସେଦିନ ସେ ଦୀପ ନିଆଁପରେ ଆମେ

    ଦୁହେଁ ହାତ ରଖିଥିଲୁ।

ସାତ ଜନମକୁ‌ ସଂସାର ବନ୍ଧନ

    ହୋଇଗଲେ ସ୍ଵାମୀ ସ୍ତ୍ରୀ,

ଓଢ଼ଣୀ ଖସେଇ ସବୁ ମୋତେ ଦେଇ

    ଚାଲୁଥିଲୁ ଥିରିଥିରି‌।

ଏମିତି ସମୟ ଡେଇଁ ଡେଇଁ ଯାଏ

    ଆସିଲେ ନୂଆ ଅତିଥି,

ଆମ ଛୋଟ ଘର ପୁରିଉଠିଗଲା

    ସ୍ନେହ ପ୍ରେମ ବଣ୍ଟାବଣ୍ଟି।

ବିତିଗଲା ଦେଖ ଅନେକ ସମୟ

    ବାର୍ଦ୍ଧକ୍ୟ ଆସିଯାଇଛି,

ସେହି ନିଆଁ ଆଜି ଗାଆଁ ମଶାଣିରେ 

    ଆମକୁ ଜଗି ବସିଛି।

ଦୁଇଟି ନିଆଁର ଦୁନିଆଁ ଏ ସଖୀ

    ଏନ୍ତୁଡି ଓ ସ୍ଵର୍ଗଦ୍ଵାର,

ତଥାପି ଅଦୃଶ୍ଯେ ପୁଣ୍ୟ ନିଆଁ ଜଳେ

    ଜୀବନରେ ବାରମ୍ବାର।

କ୍ରୋଧ ଏକ ନିଆଁ ଲଗାଏ ସେ ଚିଆଁ‌

    ହୃଦ ଦିଏ ପୋଡ଼ି ଜାଳି,

ସେ ନିଆଁ ସଖୀ ଅବଶ୍ୟ ଲିଭିବ

    ପ୍ରେମ ବାରି ଦେଲେ ଢାଳି‌।।


Rate this content
Log in

Similar oriya poem from Tragedy