ସ୍ୱପ୍ନାଭିଳାଷୀ "
ସ୍ୱପ୍ନାଭିଳାଷୀ "
ପ୍ରିୟା ମୋର ସ୍ୱପ୍ନାଭିଳାଷୀ
ନାୟୀକା ଟିଏ
ତା ପାଇଁ -
ସବୁ ସ୍ଵପ୍ନ ମୋର କମ୍ ପଡ଼ିଯାଏ ,
ଯେବେ ଯେବେ ମୁଁ ସ୍ୱପ୍ନ ବାଣ୍ଟିବାକୁ ଯାଏ ତାର ପାଶେ
ଏକ ବ୍ୟର୍ଥ ମନ ନେଇ ଫେରିବାଟା ନିଶ୍ଚିତ ତ ହୁଏ।
ତଥାପି ବି ମୋର
ସବୁ ସ୍ୱପ୍ନ ମୋ ପ୍ରିୟା ପାଇଁ।
ସ୍ୱପ୍ନ ଥିଲା ପ୍ରିୟା ପାଇଁି
ଜହ୍ନ ରେ ତୋଳିବି ଘର
ତାରା ଫୁଲେ ସଜାଇ ବି
ତୋରଣ ତାହାର ,
ବଉଦର ରଥେ ବସି
ସମୀରର କୋଳେ ହଜି
ସମର୍ପିବି ପ୍ରଣୟର ପ୍ରୀତି ପୁଷ୍ପହାର।
ସ୍ୱପ୍ନ ଥିଲା ପ୍ରିୟା ପାଇଁ
ରୂପା ତାରକସି ଓଢ଼ଣାକୁ
ସୁନାଝରି ପାଟର ମେଖଳା ,
ନାନା ରତ୍ନେ ସୁଶୋଭିତ ଶାଢ଼ୀ ଆଉ
ଫୁଲ ର ଗଜରା ।
ଟୋପି ଟୋପି ଚନ୍ଦନର ବେଶେ ତାକୁ
ହୃଦ ଭରି ନୟନେ ଦେଖିବି
ନିବିଡ ବାହୁ ବନ୍ଧନ ମଧ୍ୟେ
ନାଲି ଓଠେ ଓଠ ମୁଁ ଥାପିବି।
ଆଷାଢ଼ର ପହିଲି ବର୍ଷାରେ
ଇନ୍ଦ୍ରଧନୁ ସପ୍ତରଙ୍ଗ ଦେହେ ବୋଳି ହେବୁ,
ମୟୂର ମୟୂରୀ ସାଜି ଆମେ
ଚନ୍ଦ୍ରିକା ତୋଳି କୁଞ୍ଜରେ
ହୃଦ ଭରି ଥରୁଟେ ନାଚିବୁ।
ପ୍ରଣୟର ନାଲି ନେଳି ମଣି ମୁକ୍ତା
ଅଗଣାରେ ବୁଣି ହୋଇ
ଚିକ୍ ମିକ୍ ଆଲୋକ ରେ ଚମକାଇଦେବେ,
ଖିଲି ଖିଲି କଳରବେ
ସାତ ସୁର ପ୍ରକମ୍ପାଇ ନୁଆ ଏକ
ସ୍ବପ୍ନକୁ ବୁଣିବେ।
ସ୍ୱପ୍ନ ଥିଲା ପ୍ରିୟା ପାଇଁ
ସୀମାହିନ ଆକାଶ ର ବୁକୁ ଅବା
ସେ ସ୍ୱପ୍ନକୁ ନିଅଣ୍ଟ ଯେ ହେବ ,
ସମୁଦ୍ର ର ସ୍ୱର୍ଣ୍ଣ ରେଣୁ
ମୋ ପ୍ରିୟା ସ୍ୱପ୍ନ ମହଲ ପାଇଁ
ଅଭାବ ପଡିବ।
ସବୁ ସ୍ୱପ୍ନ ଧୂଳିସାତ ହେଲା,
କାଳ ବୈଶାଖୀ ଟା ଆସି
ଖିନ୍ ଭିନ୍ କରି ସବୁ ବିପର୍ଯ୍ୟସ୍ତ କଲା।
କାଳମୁଖା ରାକ୍ଷସଟା
ରାତ୍ରୀ ବିଭାବରୀ ସାଥେ
ମୋ ପ୍ରିୟାକୁ ଚୋରି କରିନେଲା ,
ସ୍ୱପ୍ନାଭିଳାଷୀ ପ୍ରିୟା ମୋର
ସ୍ୱପ୍ନ ଦେଖୁ ଦେଖୁ ପୁଣି
ଘୋର ତିମି ଅନ୍ଧାରର ଘନ କୁହୁଡି ଭିତରେ
ନିଶ୍ଚିହ୍ନ ହୋଇ ସେ ଖାଲି
ପାଦ ଚିହ୍ନ ଛାଡି ଦେଇଗଲା।
ଉଷାର କୋମଳ ସ୍ପର୍ଶ
ମୋ ପ୍ରିୟାର ରଙ୍ଗରୂପ ଚୋରି କରି ନେଲା,
କ୍ଷତାକ୍ତ ହୃଦୟ ନେଇ
ଦେଖୁଥିଲି ନିଷ୍ପ୍ରଭ ନୟନେ
ଶେଯରେ ଲୋଟୁଥିବା
ସୁଗନ୍ଧିତ ପରଶ ସମୁହ
ହୃଦୟ ଥରାଇ ଦେଇ
କ୍ଷଣିକରେ ଉଭାନ ହୋଇଲା।