ପ୍ରତୀକ୍ଷା
ପ୍ରତୀକ୍ଷା
"ବୈଶାଖେ "ଚନ୍ଦନ ମିଶାଇ ଅଗୁରୁ
ଯତନେ ଚନ୍ଦନ ଘୋରି,
ଆସିଥିଲେ ପ୍ରିୟ ବୋଳନ୍ତି ଚନ୍ଦନ
ମନର ଆହଟ ଖୋଲି ।
"ଜ୍ୟେଷ୍ଠରେ" ଝାଞ୍ଜିରେ କୃଷ୍ଣଚୂଡା ରଙ୍ଗେ
କେତେ ମୁଁ ସଜାଇ ଥିଲି,
ତମ ପଥ ଚାହିଁ ମନ ହାଇଁପାଇଁ
ପ୍ରୀତି ପସରାକୁ ଖୋଲି ।
"ଆଷାଢ"ରେ ପ୍ରିୟ ପହିଲି ବର୍ଷାରେ
ମନକୁ ଭିଜାଉ ଥିଲି,
ତୁମ ଆଗମନ ବାଟ ଚାହିଁ ଚାହିଁ
ନିରାଶରେ ବିତାଇଲି ।
"ଶ୍ରାବଣରେ" ଧାରା କଲା ପଥହରା
ବିରହରେ ଭିଜେଇଲା,
ବିଜୁଳି ବେଗରେ ଛାତିର ସ୍ପନ୍ଦନ
ପ୍ରଖର ଗତି କରିଲା ।
"ଭାଦ୍ରବେ" ଶରତ ଶଶୀର କାନ୍ତିରେ
ମନ ଲୋଡୁଥିଲା ତୁମକୁ,
ଜହ୍ନ ଜୋଛନାରେ କରି ପ୍ରେମ ଳାପ
ସାନ୍ତ୍ଵନା କରନ୍ତି ହୃଦକୁ ।
"ଆଶ୍ଵିନେ" ଯଦି ଆସିଥାନ୍ତ କାନ୍ତ
ଉଦ୍ ବେଗ ହୁଅନ୍ତା ଶାନ୍ତ,
ନଈର ପଠାରେ କାଶତଣ୍ଡୀ ମେଳେ
ମିଳନେ ହୁଅନ୍ତେ ପ୍ରୀତ ।
"କାର୍ତ୍ତିକେ" ଦୀପାଳି ଜାଳି ବସିଥିଲି
ତୁମ କଥା ଭାଳି ଭାଳି,
ଆସିଥିଲେ ସାଥି ରଚିଥାନ୍ତେ ପ୍ରୀତି
କହିଥାନ୍ତି ମନ ଖୋଲି ।
" ମାର୍ଗଶିରେ" ହିମ କାକର ବିନ୍ଦୁରେ
ଛିଟୁକୁଥିଲା ହୃଦରେ,
ଲୋଟିଥାନ୍ତି ଥରେ ଉଷୁମ ସ୍ପର୍ଶରେ
ଛନ୍ଦି ବାହୁ ବନ୍ଧନରେ ।
"ପୌଷ"ରେ ପୀରତି ପ୍ରତୀକ୍ଷାରେ ଥିଲି
ତୁମ ବାଟ ଚାହିଁ ଚାହିଁ,
ମଧୁ ଭରା ଓଠ ଚୁମ୍ବିବାକୁ ଥରେ
ମନ ହେଉଥିଲା ବାଇ ।
"ମାଘରେ" ବାଘୁଆ ଶୀତର ପ୍ରକୋପେ
ଅଙ୍ଗ ସାରା ଥରୁଥିଲା,
ହାସ ପରିହାସେ ରଚିବାକୁ ସାଥି
ମନ ମୋର ଲୋଡୁଥିଲା ।
"ଫାଲଗୁନେ" ଦୋଳି ସଜାଇ ରଖିଲି
ଅପେକ୍ଷାରେ ବସିଥିଲି,
ଆସିଥିଲେ ପ୍ରେମ ରାଗିଣୀ ସୁରରେ
ଗାଇଥାନ୍ତେ ଝୁଲିଝୁଲି ।
"ଚୈତ୍ର"ରେ ଚଇତି ପବନେ ମନକୁ
ଶିହରଣ କରୁଥିଲା,
ଆସିଥିଲେ ପ୍ରିୟ ମୃଦୁ ମଳୟରେ
ହଜିଥାନ୍ତେ ଦୁହେଁ ଭଲା ।
ମାସ ବିତିଗଲା ଋତୁ ବଦଳିଲା
ଦେଖା ତ ମିଳିଲା ନାହିଁ,
କଥା ଦେଇଥିଲ ଆସିବ ନିଶ୍ଚୟ
ମୋ ପ୍ରତୀକ୍ଷାର ଅନ୍ତ ନାହିଁ ।
ନିଃଶ୍ଵାସ ପ୍ରଶ୍ଵାସେ ଶିରା ପ୍ରଶିରାରେ
ପ୍ରାଣ ବିନ୍ଦୁ ତୁମେ ପ୍ରିୟ ,
ଛଳନାରେ ଖାଲି ହୃଦ ଜଳାଇଲ
ମନ ମୋ ହେଲା ଅଥୟ ।
ବେଳ ଗଡ଼ିଗଲା କାଳ ସରିଗଲା
ବିତିଗଲା ବାରମାସ ,
କଥା ଦେଇ କଥା ରଖି ନ ପାରିଲ
ଅମୃତ ଵି ଲାଗେ ବିଷ ।
ଉଷାରାଣୀ ପଣ୍ଡା,ଆନ୍ଧ୍ରପ୍ରଦେଶ ।