ମାଆ
ମାଆ
ସନ୍ତାନର ପାଇଁ ଯାତନା ସହଇ
ଦୁଃଖ ଲହୁ ପିଇଯାଏ ,
ସୀମାହୀନ ତା'ର ମମତାର ଡୋର
ନାମ ତା'ର ମାଆଟିଏ ।।
ବାତ୍ସଲ୍ୟରେ ଭରି ଖୁସି ଅସୁମାରୀ
ବୁକୁରେ ସେ ଜାକିଥାଏ ,
ତା' କାନି ପଣତେ ଅଭୟର ମନ୍ତ୍ରେ
ପ୍ରଥମ ଗୁରୁଟି ସିଏ ।।
ଭୋକେ ନିଜେ ରହି ଦୁଃଖ ଭୁଲିଯାଇ
ଧଇର୍ଯ୍ୟ ଶିଖାଇ ଥାଏ ,
ସନ୍ତାନ କାମନା ସଦା ତା ଭାବନା
ମଙ୍ଗଳ ମନାସୁ ଥାଏ ।।
ସତେ ସେ ବସୁଧା ବାଣ୍ଟେ ସ୍ନେହସୁଧା
ଗରିୟସୀ ସଦା ସିଏ ,
ସହନଶୀଳାରେ କରୁଣାଭଣ୍ଡାରେ
ସ୍ନେହ ପ୍ରେମ ଢାଳିଦିଏ ।।
କୟ୍ୟାଣ ଭଣ୍ଡାର ହୃଦେ ଭରପୁର
ତୁଳନା କରିବ କିଏ ,
ତା କୋଳରେ ରହି ନିତି ଦେଖୁଥାଇ
ସରାଗର ମୁହଁଟିଏ ।।
ଦଶମାସ ଧରି ଗର୍ଭକଷ୍ଟ ଭାରୀ
ପ୍ରଭୁଙ୍କୁ ସୁମରୁ ଥାଏ ,
ନିଃସ୍ବାର୍ଥପରତା ତାହାର ମମତା
ତା' ପରି କି ଅଛି କିଏ ।।
ରୋଗ ଶୋକ କଷ୍ଟରେ ଥାଏ ପାଖରେ
ସେବା ଯତ୍ନ କରୁଥାଏ ,
ପୂଜା ବ୍ରତ ନୀତି ଉପାସରେ ନିତି
ଆଖିରୁ ନିଦ ହଜାଏ ।।
ମାଆର ଆଶିଷେ କରୁଣା ପରଶେ
ଗୁଣବାନ ହୁଏ ସିଏ ,
ଶୁଭ ପ୍ରରଦାୟିନୀ ମଙ୍ଗଳଦାୟିନୀ
ତା'ଠାରୁ ବଡ ବା କିଏ ।।
[ ଉଷାରାଣୀ ପଣ୍ଡା ]