ପ୍ରଥମ ଦୃଷ୍ଟିରେ
ପ୍ରଥମ ଦୃଷ୍ଟିରେ
ଧିର ପଦେ ଶିର କରି ଅବଗାହେ
ଧବଳିମା ଧରି ନିଜ ପରିଧେୟେ
ମନ୍ଦିର ବେଢାରେ ହୁଅନ୍ତେ ଦଣ୍ଡାୟ
ବେପଥୁରେ ତନୁ ହେଲା ନିଃସହାୟ ।
ଦୃଷ୍ଟି ସମ୍ମିଳିତ ହୁଅନ୍ତେ ତାଠାରେ
ପଲକେ ପୁଲକ ଫୁଟିଲା ଶିହରେ
ଵିସ୍ମରଣ ହେଲି ନିମିଷେ ଦେଉଳ
ଦେଖୁଥିଲା ନେତ୍ର ଯଥା କପିଞ୍ଜଳ ।
ଜାଣି ପାରିଲିନି ମନ୍ଦିର ମହତ
କେତେ ଵା ବାଞ୍ଛିତ କେତେ ଅବାଞ୍ଛିତ
ଯେପରି ଦେଖୁଛି ପ୍ରିୟତମା ମୋର
ପାଇବିକି ତାକୁ ପାଇ ହେବି ତାର ।
ଚେତନା ଚେତନ୍ତେ ହେଲା ଭାବାନ୍ତର
କାହାପାଇଁ କେତେ କରୁଛି କଦର
ଦେଉଳ ଭିତରେ ଠିଆ ହେଇ ହେଇ
ଦୌର୍ବଲ୍ୟ ଧାଉଁଛି ଦୁର୍ବିସହ ହୋଇ ।
ନଶ୍ଵର ଚେତନା ହେଲେ କ୍ଷଣସ୍ଥାୟୀ
ଈଶ୍ୱର ଇଙ୍ଗିତ କରେ କାଳଜୟୀ
ଏମନ ଵୁଝେନା ପାପ ଅବା ପୁଣ୍ୟ
କେଉଁଠି କଳୁଷ କେଉଁଠାରେ ଧର୍ମ ।
ଜ୍ଞାତ ଅଜ୍ଞାତରେ ଜାଣିବାର ଚେଷ୍ଟା
ନ ଥିଲା ପ୍ରୟାସ ନଥିଲା ପ୍ରଚେଷ୍ଟା
ତଥାପି ସେ ମୁହଁ ଧିରେ ଧିରେ ଆସେ
ଦେଉଳ ଦୀପର ଆଲୋକ ଆବେଶେ ।
ଜହ୍ନ ଆଲୁଅରେ କେବେବି ଝଲସେ
ସତେକି ଏ ପ୍ରେମ ଥିଲା ଆଦ୍ୟରସେ
ପ୍ରଥମ ପ୍ରେମର ପ୍ରଥମ ଝଲକେ
ରହିଛି ସାଥିରେ ଧରିଛି ମୁଁ ବୁକେ ।
ପ୍ରଶାନ୍ତ କୁମାର ହୋତା