ପ୍ରୀତି ସ୍ତାବକ
ପ୍ରୀତି ସ୍ତାବକ


ମନ ଆନମନା ହେଲେ ତା ମୂର୍ଚ୍ଛନା
ମନ ହୁଏ ସନ୍ତାପିତ
ମନୋଜ୍ଞ କି ବୁଝେ ହୃଦୟ ଆଲେଖ୍ଯ
ମନ ଯାର ଗୁଞ୍ଜରିତ ।
କହିବାକୁ ସିନା ଆତ୍ମିକ ବନ୍ଧନ
ଚିର ଅମଳିନ ଧାରା
ଜୀବନ କି ନିତ୍ୟ ଶାଶ୍ଵତ ନିର୍ଝର
ଜୀବନ ତ ମାୟା ସୁରା।
କୁମୁଦିନୀ ଚାନ୍ଦ କମଳ ସୂରୁଜ
ଏ ପ୍ରେମ ପ୍ରତୀକ ମାତ୍ର
ମନୁଷ୍ଯ କି ବୁଝେ ସ୍ୱଧର୍ମେ ବିଧର୍ମ
ଚକୋରୀ ବରଷା ଝର ।
ଆତ୍ମା ର ମିଳନ କିଏ ଉପଲବ୍ଧ
ଅନୁଭବୀ ଅଭିଲେଖ
ଆଲିଙ୍ଗନ ସୁଖ ମଦନେ ମାଦିତ
ଭବ୍ୟ ଭାବ ପ୍ରଣୋଦିତ।
ଦେହାତୀତ ପ୍ରେମ ନୁହେଁତ ନଶ୍ୱର
ବିପ୍ରଲମ୍ବେ ନାହିଁ ତୋଷ
ଅନୁଭବୀ ଜାଣେ ତନୁ ନିବିଡତା
ବିରହ କି ବିପ୍ରକର୍ଷ ।