ପ୍ରୀତି ସ୍ତାବକ
ପ୍ରୀତି ସ୍ତାବକ
ମନ ଆନମନା ହେଲେ ତା ମୂର୍ଚ୍ଛନା
ମନ ହୁଏ ସନ୍ତାପିତ
ମନୋଜ୍ଞ କି ବୁଝେ ହୃଦୟ ଆଲେଖ୍ଯ
ମନ ଯା'ର ଗୁଞ୍ଜରିତ।
କହିବାକୁ ସିନା ଆତ୍ମିକ ବନ୍ଧନ
ଚିର ଅମଳିନ ଧାରା
ଜୀବନ କି ନିତ୍ୟ ଶାଶ୍ଵତ ନିର୍ଝର
ଜୀବନ ତ ମାୟା ସୁରା।
କୁମୁଦିନୀ ଚାନ୍ଦ କମଳ ସୂରୁଜ
ଏ ପ୍ରେମ ପ୍ରତୀକ ମାତ୍ର
ମନୁଷ୍ଯ କି ବୁଝେ ସ୍ୱଧର୍ମେ ବିଧର୍ମ
ଚକୋରୀ ବରଷା ଝର।
ଆତ୍ମାର ମିଳନ କିଏ ଉପଲବ୍ଧ
ଅନୁଭବୀ ଅଧିଗତ
ଆଲିଙ୍ଗନ ସୁଖ ମଦନେ ମାଧୁକ
ଭବ୍ୟ ଭାବ ପ୍ରଣୋଦିତ।
ଦେହାତୀତ ପ୍ରେମ ନୁହେଁ ତ ନଶ୍ୱର
ବିପ୍ରଲମ୍ବେ ନାହିଁ ତୋଷ
ଅନୁଭବୀ ଜାଣେ ତନୁ ନିବିଡତା
ବିରହ କି ବିପ୍ରକର୍ଷ ।